କଂଗ୍ରେସରେ ଯୋଗଦେବେ ଭୂପିନ୍ଦର ସିଂ !
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି ଲୋକମାନେ ନେବେ। ସେ କହିଛନ୍ତି, “ଲୋକେ ମୋତେ କହୁଛନ୍ତି ଯେ ମୁଁ ଯେଉଁ ଚିହ୍ନରେ ଛିଡ଼ା ହେବି, ସେମାନେ ସେହି ଚିହ୍ନକୁ ଭୋଟ ଦେବେ।” ଭୂପିନ୍ଦର ସିଂ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ଦେଶ ତଥା ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଭୂମିକା ଠିକ ଭାବେ ନିର୍ବାହ କରୁନାହିଁ। “ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ଭାଜପା ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତେଣୁ ଲୋକେ ଏବେ କଂଗ୍ରେସ ଆଡ଼କୁ ମୁହାଁଇଛନ୍ତି,” ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ବିରୋଧୀ ଦଳଠାରୁ ଯେଉଁ ଆଶା ରଖୁଛନ୍ତି, ବିଜେଡି ତାହା ପୂରଣ କରିପାରୁନାହିଁ। “ବିଜେଡି ଯଦି ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ଦାୟିତ୍ୱ ଠିକ ଭାବେ ର୍ନିବାହ ନ କରେ, ତେବେ କଂଗ୍ରେସ ରାଜ୍ୟରେ ଆହୁରି ଅଧିକ ବଢ଼ିବ,” ବୋଲି ସେ ଖୋଲା ମତ ଦେଇଛନ୍ତି। ଏହି ବୟାନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ ଭୂପିନ୍ଦର ସିଂ ଖୁବ ଶୀଘ୍ର ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇପାରନ୍ତି। ତେବେ, ଏ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କିଛି କହିନାହାଁନ୍ତି। ତାଙ୍କର ଏହି ବୟାନ ଓଡ଼ିଶାର ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।