ଆନ୍ତର୍ଜାତିକ କ୍ରିମିନାଲ କୋର୍ଟରେ ବାଂଲାଦେଶ ମୁଖ୍ୟ ଉପଦେଷ୍ଟାଙ୍କ ନାମରେ ମାମଲା

Awami League leader files complaint against B'desh Chief Adviser in ICC

ଆନ୍ତର୍ଜାତିକ କ୍ରିମିନାଲ କୋର୍ଟରେ ବାଂଲାଦେଶ ମୁଖ୍ୟ ଉପଦେଷ୍ଟାଙ୍କ ନାମରେ ମାମଲା

ଭୁବନେଶ୍ୱର : ବାଂଲାଦେଶ ଅନ୍ତରୀଣ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ ନାମରେ ଅନ୍ତର୍ଜାତିକ କ୍ରିମିନାଲ କୋର୍ଟ (ଆଇସିସି)ରେ ମାମଲା ଦାଏର କରାଯାଇଛି  । ଆଇସିସି ରୋମାନ ଷ୍ଟାଟ୍ୟୁଟର ଧାରା ୧୫ ଅନୁସାରେ ଏହି ମାମଲା ରୁଜୁ ହୋଇଛି  ।

ସିଲହଟର ପୂର୍ବତନ ମେୟର ତଥା ଆୱାମୀ ଲିଗ୍‌ ନେତା ଅନୱାରୁଜାମନ ଚୌଧୁରୀ ଏହି ଅଭିଯୋଗ କରିଛନ୍ତି  । ଆୱାମୀ ଲିଗର ଫେସବୁକ ପେଜରେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ଚୌଧୁରୀ କହିଛନ୍ତିଯେ, ଗତ ଅଗଷ୍ଟ ୫ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ, ବାଂଲାଦେଶରେ ଛାତ୍ର ଆନ୍ଦୋଳନ ନାଁରେ ଆୱାମୀ ଲିଗ୍‌ ଓ ଏହାର ଅନ୍ୟ ସହଯୋଗୀ ସଂଗଠନର ନେତା ଓ କର୍ମୀ, ହିନ୍ଦୁ, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ ହୋଇଥିଲା  । ସେହିପରି ବାଂଲାଦେଶର ପୁଲିସ୍‌ ଫୋର୍ସ ମଧ୍ୟ ସେମାନଙ୍କ ଠାରୁ ବର୍ତ୍ତିନଥିଲା  । ଏହି ବୀଭତ୍ସ ଆକ୍ରମଣ ମାନବତା ବିରୋଧରେ ଏକ ଅପରାଧ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି  । ଏହି ସଂକ୍ରାନ୍ତରେ ସେ ତଥ୍ୟ ପ୍ରମାଣ ସହ ଆଇସିସିରେ ଅଭିଯୋଗ କରିଛନ୍ତି  ।

ୟୁନୁସଙ୍କ ସହ ୬୨ ଜଣଙ୍କୁ ଏଥିରେ ଅଭିଯୁକ୍ତ ବୋଲି ଦର୍ଶାଯାଇଛି  । ଯେଉଁଥିରେ ୟୁନୁସ କ୍ୟାବିନେଟର ସମସ୍ତ ସଭ୍ୟ ଏବଂ ଆଣ୍ଟି ଡିସକ୍ରିମିନେସନ ଆଲିୟାନ୍ସର ଛାତ୍ର ନେତାଙ୍କୁ ବି ପକ୍ଷଭୁକ୍ତ କରାଯାଇଛି  । ଅଭିଯୋଗ ଫର୍ଦ୍ଦରେ ୮୦୦ ପୃଷ୍ଠାର ତଥ୍ୟ ପ୍ରଦାନ କରାଯାଇଛି  । ସେହିପରି ଆଗାମୀ ଦିନରେ ବାଂଲାଦେଶ ହିଂସାରେ ପ୍ରଭାବିତ ପ୍ରାୟ ୧୫ ହଜାର ଲୋକ ଏନେଇ ଆଇସିିସି ନିକଟରେ ଫେରାଦ ହେବେବୋଲି ଜାଣିବାକୁ ମିଳିଛି  ।
ଅପରପକ୍ଷରେ ବାଂଲାଦେଶର ବନ୍ଦର ନଗରୀ ଚିତାଗଙ୍ଗ ଠାରେ ହିନ୍ଦୁ ସମ୍ପ୍ରଦାୟ ଓ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଛି  । ଇସ୍କନ ବିରୋଧରେ ଏକ ଫେସବୁକ ପୋଷ୍ଟକୁ ନେଇ ଏଭଳି ଘଟଣା ଘଟିଛି  । ଯେଉଁଥିପାଇଁ ପୁଲିସ ଫୋର୍ସ ଓ ଆର୍ମି ପକ୍ଷରୁ ମିଳିତ ଭାବେ ନଭେମ୍ବର ୫ ରାତିରେ ସ୍ୱତନ୍ତ୍ର ଅପରେସନ୍‌ ହୋଇଥିଲା  ।

ଚିତାଗଙ୍ଗ ଠାରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣକୁ ଭାରତ ନିନ୍ଦା କରିବା ସହ ଏଭଳି ହେଲେ ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି ହେବବୋଲି କୁହାଯାଇଛି  ।