ଓଡିଶାରେ ଆନ୍ଧ୍ରର ବେସରକାରୀ ଫଳକ : ରାସ୍ତା କାର୍ଯ୍ୟ ବନ୍ଦ
ଗୁଣପୁର : ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍ର ଆନ୍ଧ୍ର ସୀମାନ୍ତ ମାରମା ପଞ୍ଚାୟତ କାମନାଗୁଡା ଏବଂ ତୋଟାଗୁଡା ଅଞ୍ଚଳରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥାର ଫଳକ ଲାଗିଛି। ଆନ୍ଧ୍ରର କେତେଜଣ ଲୋକ ଆସି ଏପରି କରିଥିବା ଜଣାପଡ଼ିଛି। ଏହି ଫଳକଗୁଡିକ ଅନେକ ଦିନ ହେବ ଲାଗିଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡ଼ିବା ବିଡ଼ମ୍ବନାର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥି ପୂର୍ବରୁ ଆନ୍ଧ୍ର ପକ୍ଷରୁ ମାରମା ପଞ୍ଚାୟତ କତାଗୁଡ଼ା ଇରିଡିଘାଟି ଦେଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହାକୁ ନେଇ ତୁମ୍ବିତୋଫାନ ହେବା ପରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇଥିଲା। ବର୍ତ୍ତମାନ ପୁଣି ଉକ୍ତ ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରର ବିଭିନ୍ନ ଯୋଜନାର ଫଳକ ଲାଗିବା ଆଉ ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ଭିତରେ ପ୍ରବେଶକରି ବାରମ୍ବାର ବିଭ୍ରାଟ କରାଯାଉଥିବାବେଳେ ପ୍ରଶାସନର ଏଥିପ୍ରତି କିପରି ନଜର ପଡ଼ୁନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଫଳକ ଲଗାଯିବା ସମ୍ପର୍କରେ ଗୁଣପୁର ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅବଗତ ନାହିଁ। ଏହି ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।