ବିଜେଡ଼ି ରଣନୀତି : ସାଂସଦ ଅଙ୍କ ପାଇଁ ଦଳଡିଆଁ ଗେହ୍ଲାପୁଅ

Biju Janata Dal, Naveen Patnaik

ବିଜେଡ଼ି ରଣନୀତି : ସାଂସଦ ଅଙ୍କ ପାଇଁ ଦଳଡିଆଁ ଗେହ୍ଲାପୁଅ

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : ଦଳଡିଆଁଙ୍କର ଏବେ କଚେପୁଅ ବାର  । ବିଜେଡ଼ି ହେଉକି ବିଜେପି ଅବା କଂଗ୍ରେସ ସବୁ ଦଳ ଦଳଡିଆଁଙ୍କୁ ଟିକେଟ ପୁରସ୍କାର ଦେଉଛନ୍ତି  । ପ୍ରାର୍ଥୀ ନଥିବାରୁ ବିଜେପି ଓ କଂଗ୍ରେସ ଅନ୍ୟ ଦଳରୁ ଓଜନିଆ ପ୍ରାର୍ଥୀଙ୍କୁ ଆଦରି ନେଉଥିବାବେଳେ ବିଜେଡ଼ି କିନ୍ତୁ ସାଂସଦ ଅଙ୍କ ପାଇଁ ଦଳଡିଆଁଙ୍କୁ ଟିକେଟ ଦେଉଥିବା ଦେଖିବାକୁ ମିଳୁଛି  । କେନ୍ଦ୍ରାପଡ଼ା ହେଉକି ପୁରୀ, ଭୁବନେଶ୍ୱର ହେଉକି ବଲାଙ୍ଗୀର ଅବା ସୁନ୍ଦରଗଡ଼ରେ ବିଜେଡ଼ି ସାଂସଦମାନଙ୍କ ପାଇଁ ଅଙ୍କ କଷୁଛି କହିଲେ ଭୁଲ ହେବନାହିଁ  । 
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଆମେ କିଛି ସଂସଦୀୟ କ୍ଷେତ୍ର, ଦଳଡିଅାଁ ନେତା ଓ ରାଜନୀତିକ ଗଣିତ ଉପରେ ଆଲୋକପାତ କରୁଛୁ  । ପ୍ରଥମେ ଆସିବା କେନ୍ଦ୍ରାପଡ଼ା ଆଡ଼କୁ  । ଗତ ୨୦୧୯ରେ ହେଭିୱେଟ ନେତା ବୈଜୟନ୍ତ ପଣ୍ଡା ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଭୋଟରେ ହାରି ଯାଇଥିଲେ  । ସେତେବେଳେ ରାଜ୍ୟରେ ମୋଦି ହାୱା ପ୍ରବଳ ବହୁଥିଲା, ଦୁଇ ଥର ସାଂସଦ ଥିବାରୁ  କେନ୍ଦ୍ରାପଡ଼ାରେ ବି ତାଙ୍କର କ୍ରେଜ୍‌ ରହିଥିଲା  । ଗତଥର ଅନୁକୂଳ ସ୍ଥିତି ସତ୍ୱେ ନିର୍ବାଚନୀ ପରୀକ୍ଷାରେ ସେ ଫେଲ୍‌ ମାରିଥିଲେ  । ଏବେ କିନ୍ତୁ ତାଙ୍କ ପାଇଁ ସ୍ଥିତି ପ୍ରତିକୂଳ ରହିଛି  । ବିଜେଡ଼ି ଏବେ କଂଗ୍ରେସରୁ ଆସିଥିବା ଅଂଶୁମାନ ମହାନ୍ତିଙ୍କୁ ଟିକେଟ ଦେଇଛି  । ରାଜନଗରରେ ତାଙ୍କର ଭଲ ଭୋଟ ବ୍ୟାଙ୍କ ଥିବାବେଳେ ଗତ ନିର୍ବାଚନରେ ୬୦ ହଜାର ଭୋଟ ହାତେଇ ପାରିଥିଲେ  । ଅଂଶୁମାନ ଓ ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କ ସହ ବୁଝାମଣା ସରିଥିବାରୁ ସେଠାରେ ବିଜେଡ଼ି ଭଲ ଲିଡ଼ ନେବାରେ ସକ୍ଷମ ହେବ  । ପାଟକୁରା ଓ ମହାକାଳପଡ଼ାରେ ବିଜୟ ମହାପାତ୍ରଙ୍କର ୫୦ ହଜାରରୁ ଉଦ୍ଧ୍ୱର୍ ଭୋଟ ବ୍ୟାଙ୍କ ରହିଛି  । ଗତଥର ତାହା ବୈଜୟନ୍ତଙ୍କ ଖାତାକୁ ଯାଇଥିବାବେଳେ ଏଥର ସେହି ଭୋଟ ଅଂଶୁମାନକୁ ଯିବ  । ସାଲେପୁରର ଟାଣୁଆ ନେତା ପ୍ରକାଶ ବେହେରା ଗତ ନିର୍ବାଚନରେ ବିଜେପିରୁ ଲଢ଼ି ୭୧ ହଜାର ଭୋଟ ନେଇଥିଲେ  । ତାଙ୍କର ପ୍ରାୟ ୫୦ ହଜାର ପକେଟ ଭୋଟ ରହିଛି  । ଅଂଶୁମାନ ଓ ପ୍ରକାଶ ଏକା ସମୟରେ କଂଗ୍ରେସର ବିଧାୟକ ଥିଲେ  । ବିଜେଡ଼ି ତାଙ୍କୁ ବାରବାଟୀ କଟକ ଟିକେଟ ଦେଇ ମାନଭଞ୍ଜନ କରିଛି  । ଆଗକୁ କେନ୍ଦ୍ରାପଡ଼ାର ଟାଣୁଆ କଂଗ୍ରେସ ନେତା ଗଣେଶ୍ୱର ବେହେରା ବି ଶଙ୍ଖ ଫୁଙ୍କିବେ ବୋଲି ଚର୍ଚ୍ଚା ହେଉଛି  । ସେଭଳି ହେଲେ ବୈଜୟନ୍ତଙ୍କ ସ୍ଥିତି ଦୋହଲିଯିବ କହିଲେ ଅତ୍ୟୁକ୍ତି ହେବନାହିଁ  ।
ଭୁବନେଶ୍ୱରରେ ବିଜେଡ଼ି ମନ୍ମଥ ରାଉତରାୟଙ୍କୁ ସାଂସଦ ଟିକେଟ ଦେଇଛି  । ସୁର ରାଉତରାୟଙ୍କର ଜଟଣୀରେ ୫୦ ହଜାରରୁ ଅଧିକ ପକେଟ ଭୋଟ ରହିଛି  । ୨୦୧୯ରେ ସେହି ଭୋଟ ଉପରେ ଅପରାଜିତା ଭାଗ ବସାଇଥିଲେ  । ବେଗୁନିଆରେ ଟାଣୁଆ କଂଗ୍ରେସ ନେତା ପ୍ରଦୀପ ସାହୁ ମଧ୍ୟ ବିଜେଡ଼ିରେ ଯୋଗ ଦେଇସାରିଛନ୍ତି  । ଫଳରେ ଜଟଣୀ ଓ ବେଗୁନିଆରେ ବିଜେଡ଼ିର ସ୍ଥିତି ପୂର୍ବାପେକ୍ଷା ମଜବୁତ ହୋଇପାରିଛି  । ଜୟଦେବରେ ବିଜେଡ଼ି ନବକିଶୋର ମଲ୍ଲିକଙ୍କୁ ଟିକେଟ ଦେଇଛି  । ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢ଼ି ୪୪ ହଜାରରୁ ଅଧିକ ଭୋଟ ନେଇଥିଲେ  । ଫଳରେ ବିଜେଡ଼ି ଉଭୟ ବିଧାନସଭା ଓ ଲୋକସଭାରେ ମଜବୁତ ହୋଇପାରିଛି  । ଯାହାକି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଡୁଆ ବଢ଼ାଇଦେଇଛି  । 
ପୁରୀରେ ସମ୍ବିତ ପାତ୍ର ଗତ ନିର୍ବାଚନରେ କମ୍‌ ଭୋଟରେ ହାରି ଯାଇଥିଲେ  । ପିନାକୀ ମିଶ୍ର ସାଂସଦ ହେବା ପରେ ସଂଗଠନ ରକ୍ଷା କରୁନଥିବା ବେଳେ ସମ୍ବିତ କିନ୍ତୁ ଆକ୍ରମଣାତ୍ମକ ରଣନୀତି କରିଥିଲେ  । ତେବେ ନୟାଗଡ଼ର ଟାଣୁଆ ନେତ୍ରୀ ଇରାନୀ ରାୟ ଏବେ ବିଜେଡ଼ିରେ ସାମିଲ ହୋଇଛନ୍ତି  । ଦଳ ଟିକେଟ ନଦେଇଥିଲେବି ବଡ଼ ପ୍ରତିଶ୍ରୁତି ଦେଇଥିବା ଜାଣିବାକୁ ମିଳିଛି  । ୨୦୧୯ରେ ଇରାନୀ ୬୬ ହଜାର ଭୋଟ ପାଇଥିବାବେଳେ ୨୦୧୪ରେ ତାଙ୍କ ସ୍ୱାମୀ କଂଗ୍ରେସରୁ ଲଢ଼ି ୫୪ ହଜାର ଭୋଟ ପାଇଥିଲେ  । ଅର୍ଥାତ ଲାଲା ଓ ଇରାନୀଙ୍କର ନୟାଗଡ଼ରେ ଭଲ ପକେଟ ଭୋଟ ରହିଛି  । ସେହିପରି ମଝିରେ ପୁରୀ ରାଜନୀତି ଦେବାଶିଷ-ସୁନୀଲ, ସଂଜୟ-ଉମା କଳି ଭିତରେ ଆକ୍ତାମାକ୍ତା ହୋଇଯାଇଥିଲା  । ଏବେ ବିଜେଡ଼ି ସମସ୍ତଙ୍କୁ ଖୁସ କରିଦେଇ ଲୋକସଭା ନିର୍ବାଚନକୁ ସୁଗମ କରିବାକୁ ଯୋଜନା କରିଛି  ।
ବଲାଙ୍ଗୀରର ଟାଣୁଆ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ ବିଜେଡ଼ିକୁ ଆସି ଲୋକସଭା ଟିକେଟ ନେଇଛନ୍ତି  । ଟିଟିଲାଗଡ଼ରେ ତାଙ୍କର ୩୦ରୁ ୪୦ ହଜାର ପକେଟ ଭୋଟ ରହିଛି  ।  ଗତ ୨୦୧୯ରେ ବିଜେପି ସାଂସଦ ସଂଗୀତା ସିଂହଦେଓ ମାତ୍ର ୧୮ ହଜାର ଭୋଟରେ ବାଜିମାତ କରିଥିଲେ  । ସେହିପରି କଂଟାବାଞ୍ôଝ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ନେଇ ମଧ୍ୟ ଭିନ୍ନଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଯଦି ସେ ବିଜେଡ଼ିରେ ମିଶନ୍ତି ତେବେ ବିଜେଡ଼ିର ସ୍ଥିତି ଆହୁରି ମଜବୁତ ହୋଇଯିବ  । 
ସୁନ୍ଦରଗଡ଼ରେ ଜର୍ଜ ତିର୍କୀଙ୍କ ପୁଅ ବିଜେଡ଼ିରେ ମିଶି ବୀରମିତ୍ରପୁରରୁ ଟିକେଟ ନେଇଛନ୍ତି  । ଜର୍ଜଙ୍କର ତଳସରା, ସୁନ୍ଦରଗଡ଼, ରଘୁନାଥପଲ୍ଲୀ, ରାଉରକେଲା ଓ ରାଜଗାଙ୍ଗପୁରରେ ଅଳ୍ପ ବହୁତ ଭୋଟ ରହିଛି  । ଗତ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀମାନଙ୍କ ଠାରୁ ସେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ  । ଯଦିଓ ଜୁଏଲ ଗତଥର ବହୁ ଭୋଟରେ ଜିତିଥିଲେ ତଥାପିବି ଏଥର ବିଜେଡ଼ି ଟକ୍କର ଦେବାରେ ସମର୍ଥ ହୋଇପାରିବ ବୋଲି ଦଳ ଅଙ୍କ କଷିଛି  । ଏହିପରି ଭାବେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ବିଜେଡ଼ି ଯୋଜନା କରିଛି  ।