ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ। ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ମନ୍ତ୍ରୀ ଉତ୍ତରରେ କହିଛନ୍ତି, ରାଜ୍ୟରେ ୨୦୨୪- ୨୫ ମସିହାରେ ରାସନ କାର୍ଡ ତଥ୍ୟାବଳୀକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଚାଲୁ କରାଯାଇଥିବା ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ଆଜି ସୁଦ୍ଧା ୧,୭୬,୦୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ରାସନ କାର୍ଡ ତଥ୍ୟାବଳୀରୁ ବାଦ ଦିଆଯାଇଛି।  ଆଧାର ଇ-କେୱାଇସି ଯାଞ୍ଚ ଏକ ସାମୟିକ ପ୍ରକ୍ରିୟା। ଅଦ୍ୟାବଧି ସମୁଦାୟ ୩,୩୬,୩୫,୯୧୮ ପିଡିଏସ ହିତାଧିକାରୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଲାଣି ଇ-କେୱାଇସି ଯାଞ୍ଚ ସମୟରେ ଚିହ୍ନିତ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ ଦିଆଯାଇ ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ ଯଥାଶୀଘ୍ର ଯୋଗାଇ ଦିଆଯିବ। ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ, ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କିଛି ଦିନ ତଳେ ଗଣମାଧ୍ୟମରେ କହିଥିଲେ।