ରାଜ୍ୟ ବଜେଟ୍‌କୁ ଅନୁମୋଦନ

ଭୁବନେଶ୍ୱର : ୨୦୨୪-୨୫ରେ ୨ ଲକ୍ଷ ୬୫ ହଜାର କୋଟି ଓ ୨୦୨୫-୨୬ରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଥିଲା । ଏହି ହାରକୁ ଅନୁଶୀଳନ କଲେ ୨୦୨୬-୨୭ରେ ବଜେଟର ଆକାର ୩ ଲକ୍ଷ କୋଟି ଟପିବ । ଆଜି ରାଜ୍ୟ କ୍ୟାବିନେଟରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ କରାଯାଇଛି । ଆସନ୍ତା ୨୦ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ଉପସ୍ଥାପନ କରିବେ ।

  • ୩ ଲକ୍ଷ କୋଟି ଟପିବ ଅଟକଳ
  • ଜଳସେଚନ ପାଇଁ ୩୬୦ କୋଟିର ଟେଣ୍ଡରକୁ ମଞ୍ଜୁରୀ

ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୬ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବ ଆଗତ କରାଯାଇଥିଲା । ତନ୍ମଧ୍ୟରୁ ଅର୍ଥ ବିଭାଗ ପକ୍ଷରୁ ଗୋଟିଏ ପ୍ରସ୍ତାବ ୨୦୨୬-୨୭ ବଜେଟ ସମ୍ପର୍କିତ ଥିଲା । ଯାହାର ସବିଶେଷ ଆଗାମୀ ବିଧାନ ସଭା ଅଧିବେଶନରେ ଉପସ୍ଥାପିତ ହେବ । ଗୋଟିଏ ପ୍ରସ୍ତାବ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଅନ୍ୟ ୩ଟି ଜଳସମ୍ପଦ ବିଭାଗ ଥିଲା । ଏହିସବୁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କ୍ୟାବିନେଟ୍‌ରେ ରାଜ୍ୟର ଇଏସଆଇ ହସପିଟାଲ ଓ ଡିସପେନସାରିରେ ସେବା ପାଇଁ ‘ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡ଼ିଓଗ୍ରାଫର ସେବା’କୁ ଅନୁମୋଦନ କରାଯାଇଛି । ଆନନ୍ଦପୁର ବ୍ୟାରେଜ୍‌ ପ୍ରକଳ୍ପ ପାଇଁ ୩୬୦ କୋଟିରୁ ଉଦ୍ଧ୍ୱର୍ ଟେଣ୍ଡରକୁ ଅନୁମୋଦନ କରାଯାଇଛି । ସାଳନ୍ଦୀ ବାମ ମୁଖ୍ୟ କେନାଲର ୭୧.୫ କିମିରୁ ୭୩ କିମି ପର୍ଯ୍ୟନ୍ତ ଭୂତଳ ପାଇପଲାଇନ୍‌ ବ୍ୟବସ୍ଥା ପାଇଁ ୧୪୬ କୋଟି ୧୭ ଲକ୍ଷ ଟଙ୍କା ଓ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ୭.୬୯ କୋଟିର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ସେହିପରି ସେହି କେନାଲର ୪୯.୮୧ କିମିିରୁ ୫୯.୯୭ କିମି ମଧ୍ୟରେ ଭୂତଳ ପାଇପ୍‌ ଲାଇନ ବ୍ୟବସ୍ଥା ପାଇଁ ୧୦୫ କୋଟି ୬୨ ଲକ୍ଷ ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ଏହାଛଡ଼ା ୫ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫.୩୧ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ସାଳନ୍ଦୀ ବାମ ମୁଖ୍ୟ କେନାଲର ୫୯.୯୭୦ କିମିରୁ ୬୦.୩୦୪ କିମି ମଧ୍ୟରେ ଭୂତଳ ପାଇପଲାଇନ୍‌ ବ୍ୟବସ୍ଥା ନିମନ୍ତେ ୧୦୭ କୋଟି ୯୬ ଲକ୍ଷ ଟଙ୍କା ଓ ୫ ବର୍ଷର ରକ୍ଷଣାବେକ୍ଷଣ ନିମନ୍ତେ ପ୍ରାୟ ୫ କୋଟି ୫୨ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।