ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁ ମୃତ
ଛତିଶଗଡ ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁ ମୃତ । ଓଡିଶାରେ ସକ୍ରୀୟ ଥିଲେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର। ଛତିଶଗଡ ପୁଲିସ ଦାସୁରଙ୍କ ଫଟୋ ଜାରି କରି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ।ଗତ ୧୨ ତାରିଖରେ ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁଙ୍କ ମୃତ୍ୟୁ ହୋଇଛି । ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିପାତ ହୋଇଥିଲେ । ମୃତ ମାଓବାଦୀଙ୍କ ମଧ୍ୟରେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର ଥିବା ସୂଚନା ଦେଇଛି ଛତିଶଗଡ ପୁଲିସ ।
କେକେବିଏନ୍ ଅଂଚଳରେ ରାଜୁତି କରୁ ଥିଲେ ଦାସରୁ। ସେ ଓଡିଶା ଷ୍ଟେଟ୍ କମିଟିର ସଦସ୍ୟ ଥିଲେ । ଏସ.ସି.ଏମ ସହ ପଶ୍ଚିମ ବ୍ୟୁରୋର ସଚିବ ଥିଲେ। ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ସମୟରେ ମାନବ ଢାଳ କରି ଖସିବାକୁ ଉଦ୍ୟମ କରି ଥିଲେ ଦାସରୁ। ଚାରି ଜଣ ନାବାଳକଙ୍କୁ ଢାଳ କରି ଜଙ୍ଗଲରୁ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଗୁଳିରୁ ମାଓନେତା ଦାସରୁ ବର୍ତ୍ତି ପାରିନଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଜଣ ନାବାଳକ ମଧ୍ୟ ଆହତ ହୋଇଛନ୍ତି। ଅବୁଝମାଡ଼ ଜଙ୍ଗଲ ନିକଟ ଏକ ଗାଁରୁ ୪ ଆହତ ନାବାଳକଙ୍କୁ ଉଦ୍ଧାର କରାଯାଇ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
