ପାରମ୍ପରିକ ଉପାୟ ଶୀତଳତାର ପାରମ୍ପରିକ ଉପାୟ

ପାଖାପାଖିର ତାପମାତ୍ରା, ପ୍ରଚଣ୍ଡ ଗରମ, ଗୁଳୁଗୁଳି, ଅଂଶୁଘାତ ଓ ଝାଞ୍ଜି ପବନରେ ଅତିଷ୍ଠ ଆଜିର ସାଧାରଣ ଜନଜୀବନ। ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା ଫଳ ମିଳୁ ନାହିଁ।
ଖରାଦିନେ ମାଟି କାନ୍ଥ ଓ ନଡ଼ା ଛପର ଘରେ ବାସ କରିବା ଆରାମ ଦାୟକ। ମାଟି ଓ ନଡ଼ା ତାପର ଭଲ କୁପରିବାହୀ ପଦାର୍ଥ ହୋଇଥିବାରୁ ଏହାକୁ ଭେଦ କରି ବାହାରର ତାପ ସହଜରେ ଘର ଭିତରେ ପ୍ରବେଶ କରିପାରେ ନାହିଁ। ସୁତରାଂ ଏଭଳି ଘର ଖରାଦିନେ ବେଶ ଥଣ୍ଡା ଓ ଆରାମଦାୟକ ଜଣାପଡ଼େ। ଅନ୍ୟପକ୍ଷରେ, ଟିଣ, ଆଜବେଷ୍ଟସ କିମ୍ବା କଙ୍କ୍ରିଟରେ ତିଆରି କୋଠାଘର ତାପର ଭଲ ସୁପରିବାହୀ ପଦାର୍ଥ ହୋଇ ଥିବାରୁ ଏଭଳି ଘର ଖରାଦିନେ ଗରମ ଓ ଅସ୍ବସ୍ତିିକର ଜଣାପଡେ। ଘରର ମୁଖ୍ୟ ଛାତ ତଳେ ବାଉଁଶବତା, ମାଟି, କାଠପଟା କିମ୍ବା ଥର୍ମୋକଲ ଭଳି ପଦାର୍ଥରେ ଅନ୍ୟ ଏକ ଛାତ(ଆଟୁ) ନିର୍ମାଣ କରିବା ଉଚିତ। ଏହାଦ୍ୱାରା ଛାତ ଦେଇ ପ୍ରବେଶ କରୁଥିବା ତାପ ପ୍ରତିହତ ହୋଇ ଘରଟା ଟିକିଏ ଥଣ୍ଡା ଜଣା ପଡେ। ଖରା ସାମାନ୍ୟ ଟାଣ ହେବା ମାତ୍ରେ ଘରର କବାଟ, ଝରକା ସବୁ ବନ୍ଦ କରିଦେବା ଉଚିତ। ଘରର ଫାଙ୍କ ସ୍ଥାନ ସବୁ ଅଖାରେ ବୁଜି ଦେବା ଆବଶ୍ୟକ। ଏହାଦ୍ୱାରା ବାହାରର ବିକିରିତ ତାପରଶ୍ମି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଘର ଭିତରେ ବାୟୁ ସଞ୍ଚାଳନ ପାଇଁ ପଙ୍ଖା ଚଲେଇବା ଉଚିତ।
ଖଟ, ଗଦି, ମଶିଣା, ବେଡସିଟ୍‌ ଆଦି ତାପର କୁପରିବାହୀ ବସ୍ତୁ ହୋଇ ଥିବାରୁ ଏସବୁ ସାମଗ୍ରୀ ବ୍ୟବହାର କଲେ ଶରୀରର ତାପ ସହଜରେ ବାହାରକୁ ସ୍ଥାନାନ୍ତରିତ ହୋଇପାରେ ନାହିଁ। ସୁତରାଂ ଖରାଦିନେ, ଏସବୁ ବ୍ୟବହାର ନ କରି ସିଧାସଳଖ ଭୂଇଁ ଉପରେ ଶୋଇଯିବା ଭଲ। ଏହାଦ୍ୱାରା ଶରୀରର ତାପ ଭୂଇଁକୁ ସ୍ଥାନାନ୍ତରିତ ହେବାରୁ ଥଣ୍ଡା ଓ ଆରାମ ଲଗେ। ମାଟିପାତ୍ର ଯେପରି ସୁରେଇ, ମାଠିଆ କିମ୍ବା ଘୁମରେ ଥିବା ପାଣି ପିଇବା ଉଚିତ। ଏଭଳି ପାତ୍ରର ପାଣି ଧାତବ ପାତ୍ରର ପାଣିଠାରୁ ଥଣ୍ଡା, କାଲୁଆ ଓ ଆରାମଦାୟକ ହୋଇଥାଏ। ମାଟିପାତ୍ରର ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଦେଇ ଜଳ ପଦାକୁ ଝରି ଆସେ, ଯାହା ସମୟକ୍ରମେ ପାତ୍ରରୁ ତାପ ସଂଗ୍ରହ କରି ବାଷ୍ପ ହୋଇ ଚାଲିଯାଏ। ଏହି କ୍ରମାଗତ ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ହିଁ ପାତ୍ରରେ ଥିବା ଜଳ ଥଣ୍ଡା ଓ ସୁଶୀତଳ ରହିଥାଏ। ଖରାଦିନେ ଫିଲଟରରୁ ପରିଷ୍କତ ପାଣି ନେଇ ମାଟି ପାତ୍ରରେ ଥଣ୍ଡା କରି ପିଇବା ଉଚିତ।
ଖରାଦିନେ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଯେପରି ପଖାଳଭାତ, କାକୁଡି, ତରଭୁଜ, ଦହିପାଣି, ତାଳସଜ ଇତ୍ୟାଦି ଖାଇବା ଦରକାର। ଏହାଦ୍ୱାରା ଶରୀରର ଜଳୀୟ ପରିମାଣ ବୃଦ୍ଧି ପାଇଥାଏ। ସମୟକ୍ରମେ, ଏହି ଜଳୀୟ ଅଂଶ ଝାଳ ରୂପରେ ପଦାକୁ ନିଷ୍କ୍ରାନ୍ତ ହୁଏ। ଏହି ଝାଳର ବାଷ୍ପୀଭବନ ପ୍ରକ୍ରିୟା ଯୋଗୁ ହିଁ ଶୀତଳତା ସୃଷ୍ଟି ହୁଏ। ଅଧିକ ଗରମ ଲାଗିଲେ ଦେହରେ ପାଣି ବୋଳି ହୋଇ ପଙ୍ଖା ପବନରେ ଦଣ୍ଡେ ବସିଯିବା ଉଚିତ। ଏହାଦ୍ୱାରା ଶରୀରରୁ ପାଣିର ଦ୍ରୁତ ବାଷ୍ପୀଭବନ ଘଟି ଅଧିକ ଶୀତଳତା ସୃଷ୍ଟି ହୁଏ। ଚିକ୍କଣ ଧଳା ରଙ୍ଗ ମଳିନ କଳାରଙ୍ଗ ତୁଳନାରେ କମ ତାପ ଶୋଷଣ କରିଥାଏ। ସୁତରାଂ ଖରାଦିନେ ରଙ୍ଗ ବେରଙ୍ଗର ପୋଷାକ ପରିବର୍ତ୍ତେ ଧଳା ରଙ୍ଗର ପତଳା, ଚିକ୍କଣ ଓ ସଫା ପୋଷାକ  ପରିଧାନ କରିବା ଉଚିତ। ପୁନଶ୍ଚ, ଘର ଭିତରେ ପଶୁଥିବା ତାପ ରଶ୍ମିକୁ ପ୍ରତିହତ କରିବା ପାଇଁ ଘର ବାହାର ପଟ କାନ୍ଥରେ ଚିକ୍କଣ ଧଳା ରଙ୍ଗ (ଯେପରି ଏନାମେଲ ରଙ୍ଗ) ବୋଳି ଦେବା ଉଚିତ। ଖରାଦିନେ ମାତ୍ର ଗୋଟିଏ ଓଳି ରୋଷେଇ କରି ଶୀଘ୍ର ତାପର ଉତ୍ସ ନିଆଁକୁ ଲିଭେଇ ଦେବା ଉଚିତ। ସେହି ଭାତକୁ ପଖାଳ କରି ଦିନସାରା ଖାଇବା ଭଲ।
ଖରାଦିନେ ସକାଳେ ଥରେ ଗାଧୋଇବା ବ୍ୟତୀତ ସନ୍ଧ୍ୟାବେଳେ ଆଉ ଥରେ ନଦୀ କିମ୍ବା ଗଡିଆ ପାଣିରେ ଭଲକରି ବୁଡି ସ୍ନାନ କରିବା ଉଚିତ। ଜଳରେ କିଛି ସମୟ ବୁଡ଼ି ରହିଲେ ଶରୀରରୁ ତାପ ପରିବହନ ଜରିଆରେ ଜଳକୁ ସ୍ଥାନାନ୍ତରିତ ହୁଏ। ପୁଣି ଗାଧୋଇବା ଦ୍ୱାରା ଦିନବେଳେ ଦେହରେ ଜମିଥିବା ମଇଳା ଧୋଇ ହୋଇଯିବା ଦ୍ୱାରା ଶରୀରର ସ୍ବେଦଗ୍ରନ୍ଥୀସବୁ ଉନ୍ମୁକ୍ତ ହୋଇ ଯାଆନ୍ତି। ଫଳରେ ଶରୀରରୁ ଭଲ ଝାଳ ନିର୍ଗତ ହୁଏ, ଯାହା ବାଷ୍ପୀଭବନ ପ୍ରକ୍ରିୟା ଦ୍ୱାରା ଶୀତଳତା ସୃଷ୍ଟିକରେ। ଆହୁରି ମଧ୍ୟ ଗାଧୋଇ ସାରି ପଦାକୁ ଆସିଲେ, ଦେହରେ ଜମିଥିବା ଜଳ ଦ୍ରୁତ ବାଷ୍ପୀଭବନ ହେବାରୁ ଶରୀରକୁ ବେଶ୍‌ ଶୀତଳ ଓ ଆରାମ ଜଣାପଡେ। ଘର ଭିତରେ ପଶୁଥିବା ବିକିରିତ ତାପରଶ୍ମିକୁ ପ୍ରତିହତ କରିବା ନିମନ୍ତେ ଅଗଣାରେ ଓଦା ଅଖା କିମ୍ବା ବେଣାଚେରରେ ତିଆରି ମଶିଣା ଟାଙ୍ଗି ସେଥିରେ ସମୟ ସମୟରେ ପାଣି ସିଞ୍ଚନ କରିବା ଉଚିତ। ତାପ କୌଣସି ପଦାର୍ଥ ମଧ୍ୟରେ ତରଙ୍ଗ ରୂପରେ ସ୍ଥାନାନ୍ତରିତ ହୋଇଥାଏ। କଙ୍କ୍ରିଟ ମଧ୍ୟରେ ଏହି ତରଙ୍ଗର ଗତି ବାସ୍ତବପକ୍ଷରେ ଅତି ମନ୍ଥର ହୋଇ ଥିବାରୁ ଦିନବେଳେ ଗୃହୀତ ତାପ କୋଠାଘରର କଙ୍କ୍ରିଟ ଛାତ ଭେଦକରି ରାତି ସମୟରେ ଘର ଭିତରେ ପ୍ରବେଶ କରିଥାଏ। ଫଳରେ ରାତିବେଳେ ଏଭଳି ଘରେ ଶୀତଳତା ନିମନ୍ତେ ଯେତେ ଯାହା କଲେ ସୁଦ୍ଧା ଥଣ୍ଡା ମିଳେ ନାହିଁ। ଏଭଳି ଗରମରୁ ରଷା ପାଇବା ପାଇଁ ହେଲେ ରାତି ସମୟରେ ଘର ଭିତରେ ନ ଶୋଇ ପଦାରେ ମୁକ୍ତ ଆକାଶ ତଳେ ଶୋଇଯିବା ବରଂ ଭଲ। ଗଛ ବିକିରିତ ତାପରଶ୍ମିକୁ ଶୋଷି ନେଉ ଥିବାରୁ ଘର ଚାରିପଟେ ଛାୟାପ୍ରଦ, ଝଙ୍କାଳିଆ ଗଛ ଲଗାଇବା ଭଲ।