ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ

କନ୍ଧମାଳ: ଆଶାକର୍ମୀ ଚୟନରେ ଦୁର୍ନୀତିର ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ  ।  କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ପକାରୀ ପଞ୍ଚାୟତର ଗୁଡୁଡ଼ି ଗ୍ରାମ ପାଇଁ  କିଛିଦିନ ପୂର୍ବେ  ଜଣେ ଆଶାକର୍ମୀ ନିଯୁକ୍ତି ପାଇଁ କର୍ତ୍ତୃପକ୍ଷ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା । ଯାହାଫଳରେ ଗ୍ରାମରେ ଏକ ସଭା ଆୟୋଜନ ହୋଇ ସେହି ଗ୍ରାମର ଶିକ୍ଷିତ ମହିଳା ଓ ଗ୍ରାମବାସୀମାନେ ସଙ୍ଗୀତା ପ୍ରଧାନଙ୍କୁ ଆଶାକର୍ମୀ ଭାବେ ନିଯୁକ୍ତି ପାଇଁ ମନୋନୀତ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କ ଅଜାଣତରେ ମେଡିକାଲ କର୍ତ୍ତୃପକ୍ଷ ବିପିଏମ ସାନ୍ତୁନୁ ସାହୁ ଓ ଏନେମ୍ ମିସି ଟଙ୍କା ନେଇ ରାଣୀପଙ୍ଗା ପଞ୍ଚାୟତର କୁଲେଟକମ୍ବା ଗ୍ରାମର ନବନ୍ତୀ ପ୍ରଧାନଙ୍କୁ ନିଯୁକ୍ତି କରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ବୃନ୍ଦ । ଏହା ଜାଣିପାରି ଗୁଡୁଡ଼ି ଗ୍ରାମବାସୀମାନେ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ସାନ୍ତୁନୁ ସାହୁ ଓ ଏନେମ୍ ବିରୁଦ୍ଧରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ ସୁଦ୍ଧା ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହେଲାନାହିଁ । ଶେଷରେ ଗ୍ରାମବାସୀମାନେ ବାଧ୍ୟ ହୋଇ ନିରୁପାୟ ହୋଇ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀ କହିବା ଅନୁସାରେ ମେଡିକାଲର ବିପିଏମ ସାନ୍ତୁନୁ ସାହୁ ଜଣେ ଦୁର୍ନୀତି ଓ ଲାଞ୍ଚଖୋର କର୍ମଚାରୀ । ସେ ଆଗୁରୁ ମଧ୍ୟ କୋଟଗଡ ବ୍ଲକର ୧୫ ଗୋଟି ପଂଚାୟତରେ ଆଶା ନିଯୁକ୍ତି ପାଇଁ ବହୁତ ଟଙ୍କା ନେଇ ଆଶା ନିଯୁକ୍ତି କରିଛନ୍ତି । ଏପରି ଅନେକ ଦୁର୍ନୀତି କାମରେ ଲିପ୍ତ ରୁହନ୍ତି । ସେଥିପାଇଁ ଏପରି ଲୋକଙ୍କୁ ଅନ୍ୟତ୍ର ବଦଳି କିମ୍ବା ଚାକିରୀରୁ ବହିଷ୍କାର କରିବାକୁ ଅଞ୍ଚଳବାସୀମାନେ କହିଛନ୍ତି । ଏଥିସହିତ ଆଶା ଚୟନ ପ୍ରକ୍ରିୟାକୁ ପୁନର୍ବାର କରିବାକୁ ପକାରୀ ପଂଚାୟତର ସରପଞ୍ଚ ଏବଂ ଗୁଡ଼ୁଡ଼ି ଗ୍ରାମର ଗ୍ରାମବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗୁଡୁଡ଼ି ଗ୍ରାମର ଗ୍ରାମବାସୀ ମାନଙ୍କୁ ନ୍ୟାୟ ଦେବାକୁ କହିଛନ୍ତି ।