୨୭ରେ ବିଧାନସଭା ଘେରିବ କଂଗ୍ରେସ

 ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ସରକାର ବିରୁଦ୍ଧରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି । ଏହି ଅବସରରେ ରାଜ୍ୟର ଜନସାଧାରଣ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ମହିଳା ନ୍ୟାୟ ଦେବାପାଇଁ ଆଗେଇ ଆସିବା ପାଇଁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳାମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଷ୍ପତି କ୍ରମେ ଏବଂ ନିଦେ୍ର୍ଦଶରେ ଗତ ୧୦ ତାରିଖ ଦିନ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବିଧାନସଭାରେ ଏହାକୁ ଉପସ୍ଥାପନ କରିବା ସହ ଏକ କମିଟି ଗଠନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କଂଗ୍ରେସ ବିଧାୟକମାନେ ଦାବି କରିଥିଲେ । ଏହାକୁ ବିରୋଧ କରି ବିଜେପି ବିଧାୟକମାନଙ୍କ ମଧ୍ୟରୁ ବିଧାନସଭାରେ କିଏ ଅଶାଳୀନ ଭାଷା କହୁଥିଲେ ତ ଆଉ କିଏ ବରିଷ୍ଠ କଂଗ୍ରେସ ବିଧାୟକଙ୍କ କଲର ଧରି ଠେଲା ପେଲା କରି ଧକ୍କା ମାରିଥିଲେ । ବାଚସ୍ପତି ବିଜେପି ବିଧାୟକଙ୍କୁ ନିଲମ୍ବନ ନ କରିବା ପରିବର୍ତ୍ତେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ନିଲମ୍ବନ କରିବା କେତେ ଯଥାର୍ଥ ଏବଂ କେତେ ନ୍ୟାୟ ସଙ୍ଗତ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ ସବିଶେଷ ତଥା ଉପସ୍ଥାପନ କରିଛନ୍ତି । 
ଡ଼ ପଟ୍ଟନାୟକ କହିଛନ୍ତି ରାଜ୍ୟରେ ପାଖାପାଖି ୪୫ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ ଅଛନ୍ତି । ବିଜେପି ସରକାରର ୯ ମାସ ମଧ୍ୟରେ ୧୨.୯ ପ୍ରତିଶତ ମହିଳା ବିଭିନ୍ନ ଅତ୍ୟାଚାରର ଶିକାର ହୋଇଛନ୍ତି । ବିଭିନ୍ନ ଥାନାରେ ୧୬୦୦ କେସ ପଞ୍ଜିକୃତ ହୋଇଛି । ନାରୀ ନିର୍ଯ୍ୟାତନାରେ ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡିନି । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି କିନ୍ତୁ ସ୍କୁଲ୍ ପିଲା ଗର୍ଭବତୀ ହେବା କଣ ନାରୀ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଡ଼ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।