ନବୀନ ହିଁ ପ୍ରଦୀପଙ୍କୁ ନେତା ଭାବେ ପରିଚୟ ଦେଇଥିଲେ: ବିକ୍ରମ ପଣ୍ଡା

ନବୀନ ହିଁ ପ୍ରଦୀପଙ୍କୁ ନେତା ଭାବେ ପରିଚୟ ଦେଇଥିଲେ: ବିକ୍ରମ ପଣ୍ଡା

ଭୁବନେଶ୍ବର: ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପ୍ରସଙ୍ଗରେ କଡ଼ା ଜବାବ ରଖିଲେ ବିଜେଡି ନେତା ବିକ୍ରମ ପଣ୍ଡା । ଏହା ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି କହିଛନ୍ତି ବିକ୍ରମ । ଟାଟା କମ୍ପାନୀରେ ଚାକିରୀ ନାଁରେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା, ସେଥିରୁ ସେ ଖଲାସ ହୋଇଥାଇପାରନ୍ତି । ହୁଏତ ସରକାର ବଦଳିବା ପରେ ଅଭିଯୋଗକାରୀଙ୍କ ଦୁର୍ବଳତା ହେଉ କି ସାକ୍ଷୀ ମାନଙ୍କ ମତ ବଦଳାଇବା ହେଉ, ସେଥିପାଇଁ ସେ ଦୋଷମୁକ୍ତ ହୋଇଥାଇପାରନ୍ତି ।

ହେଲେ ସେ ମନେରଖିବା ଦରକାର ଯେ ଆଉ ତିନୋଟି ସ୍ଥାନରେ ତାଙ୍କ ବିରୋଧରେ ମାମଲା ଚାଲିଛି । କ୍ରାଇମ ବ୍ରାଞ୍ଚ, ଇଓଡବ୍ଲ୍ୟୁ ଓ ରାଜ୍ୟ ଭିଜିଲାନ୍ସରେ ମାମଲା ଚାଲିଛି । ଗୋଟିଏ ଟାଟା ଠକେଇ ମାମଲାରୁ ଖଲାସ ହୋଇ ନବୀନ ପଟ୍ଟନାୟକଙ୍କୁ କହିବା ଓ ଉଲ୍ଲସିତ ହେବା ଆଦୌ ଶୋଭନୀୟ ନୁହେଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, କୋଭିଡ୍ ସମୟରେ ବିଦେଶ ଗସ୍ତ ମାମଲା ଏଯାଏଁ ବିଚାରାଧୀନ ଅଛି । ନବୀନ ପଟ୍ଟନାୟକ ହିଁ ପ୍ରଦୀପ ପାଣିଗ୍ରାହୀଙ୍କୁ ନେତା ଭାବେ ପରିଚୟ ଦେଇଥିଲେ । ନବୀନଙ୍କ ବିରୋଧରେ ପ୍ରଦୀପ ଏପରି କହିବା ଅତ୍ୟନ୍ତ ଦୁଃଖଦାୟକ । ଏହାକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେନାହିଁ । ସେ କଣ କରୁଛନ୍ତି ଓ କଣ କହୁଛନ୍ତି, ତାହା ଗଞ୍ଜାମ ଓ ଗୋପାଳପୁରବାସୀ ବେଶ ଅବଗତ ଅଛନ୍ତି । ତେଣୁ ସେ ଏପରି ବିବୃତିରୁ ନିବୃତ ରହିଲେ ଭଲ ହେବ ।