କେନ୍ଦୁଝର ଜିଲ୍ଲାରେ ହେବ ବୃହତ୍ ଇସ୍ପାତ କାରଖାନା : ପାଟଣା ହେବ ସମୃଦ୍ଧ : ମୋହନ

ଭୁବନେଶ୍ୱର :  ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ  ।
ସୂଚନାଯୋଗ୍ୟଯେ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଶିଳ୍ପ ପୋସ୍କୋ ଏବଂ ଭାରତର ଜେଏସଡବ୍ଳୁ୍ୟର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି  । ଏହାହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା  । 
ଜିଲ୍ଲାରେ ଏହି କାରଖାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ଆଗରୁ ଦାବି କରିଆସୁଥିଲେ  । ଏହା ମଧ୍ୟ ଦଳର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା  । କେନ୍ଦୁଝରର ଲୁହାପଥର ବିଦେଶକୁ ରପ୍ତାନୀ ହୋଇ କାମରେ ଆସୁଛି କିନ୍ତୁ ଓଡିଶାରେ ଏହା କାହିଁକି ବ୍ୟବହାର ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଦାବି କରିଆସୁଥିଲେ  ଏବଂ ଏଥିପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲେ  । 
କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁତ ଦିନର ସ୍ୱପ୍ନ ଥିଲା, ଜିଲ୍ଲାରେ ଇସ୍ପାତ କାରଖାନା  । ଆଜି ଏହା ସାକାର ହେବାକୁ ଯାଉଛି  । ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଏହା ସମ୍ଭବ ହୋଇଛି ବୋଲ କେନ୍ଦୁଝର ଜିଲ୍ଲାବାସୀ କହିଛନ୍ତି  । କେନ୍ଦୁଝର ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳର ଆଦିବାସୀ ମଞ୍ଚ, ଯୁବ ଛାତ୍ରସାମ୍ମୁଖ୍ୟ, ନାଗରିକ ମଞ୍ଚ, ପ୍ରେସ୍ କ୍ଲବ, ବୁଦ୍ଧିଜୀବି ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଛନ୍ତି  ।  ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା, ବିଶେଷକରି କେନ୍ଦୁଝର ଜିଲ୍ଲାକୁ ଏହି ଅମୂଲ୍ୟ ଉପହାର ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲ୍ଲାବାସୀ  ।  କେନ୍ଦୁଝର ଜିଲ୍ଲାବାସୀଙ୍କ ସହିତ ପାଟଣା ବିଧାୟକ ଅଖିଳ ନାୟକ ଏବଂ ତେଲକୋଇ ବିଧାୟକ ଡ. ଫକୀର ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପ୍ରତୁ୍ୟତ୍ତରରେ ଧନ୍ୟବାଦ ଦେଇ କହିଥିଲେଯେ, ଖଣିବହୁଳ କେନ୍ଦୁଝର ଜିଲ୍ଲା ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ  । ଇସ୍ପାତ କାରଖାନା ଦାବି ଜିଲ୍ଲାବାସୀଙ୍କର ସବୁଠୁ ପୁରୁଣା ଓ ବଡ଼ ଦାବି ଥିଲା  । ପୂର୍ବରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଖଣିବହୁଳ ରାଜ୍ୟରେ ଚାରୋଟି ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ  । ତିନୋଟି ଇସ୍ପାତ କାରଖାନା ପ୍ରତିଷ୍ଠା ସରିଛି କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ଓଡ଼ିଶା ଏଥିରୁ ବଞ୍ଚିତ ଥିଲା  । ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ବିଶ୍ୱର ବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଏହା ସ୍ଥାପନ ହେବାକୁ ଯାଉଛି  । ଏହି ଇସ୍ପାତ କାରଖାନା କେନ୍ଦୁଝର ଜିଲ୍ଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ  । ଆଗାମୀ ଦିନରେ ପାଟଣା ଅଞ୍ଚଳ ମଧ୍ୟ ରାଉରକେଲା ଭଳି ଏକ ଅତ୍ୟାଧୁନିକ ସହରରେ ପରିଣତ ହେବ  ।  ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଡବଲ ଇଞ୍ଜିନ ସରକାରରେ କେବଳ କେନ୍ଦୁଝରରେ ନୁହେଁ ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ହେବ  । ଓଡ଼ିଶା ପାଇଁ ଅନେକ ବଡ ବଡ ପ୍ରକଳ୍ପ କେନ୍ଦ୍ର ସରକାର ମଞ୍ଜୁର କରୁଛନ୍ତି  ।  ଶେଷରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ତାରିଣୀ ଏବଂ ପ୍ରଭୁ ବଳଦେବଜୀଉଙ୍କ ଆଶୀର୍ବାଦରୁ ଆଜି ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି  । ଏହା ମାଧ୍ୟମରେ କେନ୍ଦୁଝର ଜିଲ୍ଲା ସହିତ ସମଗ୍ର ରାଜ୍ୟର ବିକାଶ ହେବ  । ତେଣୁ ଏଥିପାଇଁ ଜିଲ୍ଲାବାସୀ ବିଶେଷକରି, ପାଟଣା ଅଞ୍ଚଳବାସୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ  ।