ରାଜ୍ୟରେ ୩୦% ପିସି ସରକାର : କଂଗ୍ରେସ
ଭୁବନେଶ୍ୱର : ବିଜେପି ସରକାରକୁ ବର୍ଷେ ପୂରିବାକୁ ଆଉ ୧୨ ଦିନ ବାକି ଅଛି । ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ।
ଏହାସହ ରାଜ୍ୟରେ ୩୦% ପିସି ସରକାର ଚାଲିଛି ବୋଲି କହି ସେ ବିଜେପି ସରକାରକୁ ସମାଲୋଚନା କରିଛନ୍ତି । ଏବେ ଓଡିଶାରେ ଦୁର୍ନୀତିଯୁକ୍ତ ଏକ ସରକାର ଚାଲିଛି ଯାହାର ଏକମାତ୍ର କାମ ହେଉଛି ଓଡ଼ିଆଙ୍କୁ ଶୋଷଣ କରିବା, ଓଡ଼ିଶାକୁ ଲୁଟ କରିବା ବୋଲି କହିଛନ୍ତି । କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି । ନରେନ୍ଦ୍ର ମୋଦି ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଇଡି କାର୍ଯ୍ୟାଳୟର ଜଣେ ଉପ ନିଦେ୍ର୍ଦଶକ ଚିନ୍ତନ ରଘୁବଂଶୀ ୨୦ଲକ୍ଷ ଟଙ୍କା ଖଣି ଦୁର୍ନୀତି ମାମଲାର ରଫା ଦଫା କରିବା ପାଇଁ ବଟି ନେଉଥିବା ସମୟରେ ସିବିଆଇ ଦ୍ୱାରା ଗିରଫ ହେବା ଘଟଣାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାରୀ ଅଧିକାରୀ ଓ ମନ୍ତ୍ରୀ ବହୁ ମାତ୍ରାରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଜେପି ସରକାରର ଏତାଦୃଶକୁ ସମାଲୋଚନା କରିଥିଲେ ।