ଔଷଧୀୟ ଗୁଣରେ ଭରପୁର ପିଜୁଳି ଗଛର ପତ୍ର
Guava Leaves

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଏହା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭକାରୀ ହୋଇଥାଏ । ପିଜୁଳିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଛି । ପିଜୁଳି ପରି ତାହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ । ପିଜୁଳି ପତ୍ରରେ ଔଷଧୀୟ ଗୁଣ ଭରପୁର ରହିଛି । ଆୟୁର୍ବେଦରେ ଏହାର ବିଶେଷ ଗୁରୁତ୍ୱ ରହିଛି । ପିଜୁଳି ପତ୍ର ଆୟୁର୍ବେଦରେ ଔଷଧିୟ ପତ୍ର ଭାବରେ ପରିଚିତ । ହେଲେ କ’ଣ ଆପଣ ପିଜୁଳି ପତ୍ରର ସ୍ୱାସ୍ଥ୍ୟ ପ୍ରତି ଉପକାରିତା ସମ୍ବନ୍ଧରେ ଜାଣିଛନ୍ତି କି?
ପିଜୁଳି ପତ୍ରରେ ଔଷଧିୟ ଗୁଣ ରହିଛି ଯାହାକି ଶରୀରର ଓଜନ କମାଇବା ସହ କୋଲେଷ୍ଟ୍ରୋଲ ହ୍ରାସ କରିବାରେ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ ଏପରି ଅନେକ ରୋଗ ରହିଛି ଯାହାକୁ ଭଲ କରିବାରେ ପିଜୁଳି ପତ୍ର ରାମବାଣ ସାଧିତ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁଥିପାଇଁ ଓ କିପରି ଏହାର ବ୍ୟବହାର କରିବା....
ପିଜୁଳି ପତ୍ରରେ ଏମିତି ପୋଷକତତ୍ତ୍ୱ ରହିଛି ଯାହା ରକ୍ତରେ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ପିଜୁଳି ପତ୍ରକୁ ପାଣିରେ ପକାଇ ଏହାକୁ ଭଲଭାବରେ ଫୁଟାନ୍ତୁ ଏବଂ ଏହାକୁ ଛାଣି ଏହାର ସେବନ କରନ୍ତୁ । ଡାଇବେଟିସ ରୋଗୀମାନେ ଏପରି କରିବା ଦ୍ୱାରା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ । ଖାଇବାପରେ ପିଜୁଳି ପତ୍ରର ଏପରି ଚା’ କରି ପିଇବାଦ୍ୱାରା ରକ୍ତରେ ସୁଗାରର ମାତ୍ରା କମିଥାଏ । ପିଜୁଳି ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପିଜୁଳି ପତ୍ରରେ ଥିବା ଫାଇବର ଏବଂ ପୋଟାସିୟମ ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମାଇ ଭଲ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି କରିଥାଏ । ତେଣୁକରି ପ୍ରତିଦିନ ପିଜୁଳି ପତ୍ରର ରସ ହେଉ ବା ଚା’ ପ୍ରସ୍ତୁତ କରି ସେବନ କରିବା ଲାଭକାରୀ ହୋଇଥାଏ । ମାସିକ ଋତୁସ୍ରାବ ସମୟରେ ହେଉଥିବା କଷ୍ଟକୁ ଦୂର କରିବାରେ ପିଜୁଳି ପତ୍ର ବେଶ୍ ଲାଭକାରୀ ସାବ୍ୟସ୍ତ ହୋଇଛି । ମାସିକ ଋତୁସ୍ରାବ ସମୟରେ ତଳିପେଟରେ ବ୍ୟଥା ହେବା ଭଳି ସମସ୍ୟା ପ୍ରାୟତଃ ଦେଖା ଦେଇଥାଏ । ଯଦି ଆପଣଙ୍କର ଏପରି ସମସ୍ୟା ଅଛି ତେବେ ଆପଣ ପ୍ରତ୍ୟେକ ଦିନ ସକାଳେ ପିଜୁଳି ପତ୍ରର ରସ ସେବନ କରିବା ଉଚିତ୍ । ଏହା ଆପଣଙ୍କୁ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ । ପିଜୁଳି ପତ୍ରର ସେବନ ଦ୍ୱାରା ହଜମ କ୍ରିୟାରେ ମଧ୍ୟ ଉନ୍ନତି ଆସିଥାଏ । ପିଜୁଳି ଏବଂ ପିଜୁଳି ପତ୍ରରେ ପ୍ରଚୁର ପରିମାଣରେ ଫାଇବର ରହିଛି । ପିଜୁଳି ପତ୍ରକୁ ଚୋବେଇ ଖାଇଲେ କିମ୍ବା ଏହାର ରସ ପିଇଲେ ଏହା ହଜମ କ୍ରିୟା ସଠିକ ରଖିଥାଏ । ପିଜୁଳି ପତ୍ର ରସରେ ଥିବା ଆଣ୍ଟି ଭାଇରାଲ ଗୁଣ ଯୋଗୁଁ ଏହା ଡାଇରିଆ ରୋଗ ସୃଷ୍ଟି ଜୀବାଣୁକୁ ମାରି ଡାଇରିଆ ହେବାରୁ ମଧ୍ୟ ରକ୍ଷା କରିଥାଏ । ପିଜୁଳି ପତ୍ରରେ ଫାଇବର ତତ୍ତ୍ୱ ଭରି ରହିଥାଏ । ତେଣୁ ଏହାର ରସ ସେବନ କଲେ ଏଥିରେ ଥିବା ଫାଇବର ଯୋଗୁଁ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପିଜୁଳି ପତ୍ରର ରସ ଓଜନ ବୃଦ୍ଧି ପରି ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଆପଣଙ୍କର ଅଧିକ ଓଜନ ରହିଛି ତାହେଲେ ପ୍ରତିଦିନ ୧୦ ରୁ ୧୫ଟି ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ । ଆପଣ ପିଜୁଳି ମଧ୍ୟ ସେବନ କରି ପାରିବେ । ଏହା ଆପଣଙ୍କ ଓଜନ କରିବାରେ ସହାୟକ ହୋଇଥାଏ । ଶରୀରରେ ଭିଟାମିନ-ସି ର ଅଭାବ ହେଲେ ଅନେକ ପ୍ରକାରର ସଂକ୍ରମଣ ଏବଂ ଅସୁସ୍ଥତା ଦେଖିବାକୁ ମିଳେ । ପିଜୁଳି ପତ୍ରରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଥାଏ । ଯଦି ଆପଣ ପ୍ରତିଦିନ ପିଜୁଳି ପତ୍ରର ସେବନ କରୁଛନ୍ତି ବା ଏହାର ଚା’ ପିଉଛନ୍ତି ତେବେ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ ଏଥିରୁ ମିଳିଥାଏ । ଏହି ଭିଟାମିନ-ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିଥାଏ ଏବଂ ସାଧାରଣ ଥଣ୍ଡା,ସର୍ଦ୍ଦି ଓ ସଂକ୍ରମଣରୁ ରକ୍ଷା କରିଥାଏ । ପିଜୁଳି ପତ୍ରରେ ଥିବା ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲ ଯୋଗୁଁ ଏହା ତ୍ୱଚା ପାଇଁ ଅଧିକ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳେ ଚାରିରୁ ପାଞ୍ଚଟି ପିଜୁଳି ପତ୍ରର ସେବନ କଲେ ଚର୍ମରେ ଶୁଷ୍କତା ଦେଖା ଯାଇ ନଥାଏ । ତ୍ୱଚାର ବୟସ ଜନିତ ସମସ୍ୟା ଦେଖା ଦିଏ ନାହିଁ । ଏହାଛଡା ଯଦି ଆପଣଙ୍କର ମୁଖ ବ୍ରଣ ସମସ୍ୟା ରହିଛି, ତେବେ ପିଜୁଳି ପତ୍ରର ରସକୁ ବାଟି ବ୍ରଣ ସ୍ଥାନରେ ଲଗାଇଲେ ବ୍ରଣ ଖୁବ୍ ଶୀଘ୍ର ଭଲ ହୋଇ ଯାଇଥାଏ ।