ଅଙ୍ଗନବାଡି କେନ୍ଦ୍ରରେ ନ ଦେଇ ଟଙ୍କା ହଡପ୍
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତର କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ମାତ୍ର ଏହି କେନ୍ଦ୍ରକୁ ପାଣି ପାଇପ ସଂଯୋଗ, ସୋଲାର, ଏଲଇଡି ଟିଭି ପ୍ରଭୃତି ସାମଗ୍ରୀ ଯୋଗାଇ ଦିଆଯାଇଥିବା ଦର୍ଶାଇ ଜାଲିଆତି କରି ଲକ୍ଷାଧିକ ଟଙ୍କାର ବିଲ ଉଠାଯାଇଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତକ୍ରାଳୀନ ବିଡିଓ ନିଶାନ ମିଶ୍ର ତଦନ୍ତ ସମୟରେ କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ଘର ନଥିବା ଦେଖିବାକୁ ପାଇଥିଲେ । ତଦନ୍ତ ସମୟରେ ଏହି କେନ୍ଦ୍ର ପାଇଁ ୧ଲକ୍ଷ ୧୧ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧିନ ସ୍ୱାଇଁ ଓ ସରପଞ୍ଚ ଥିବା ଗୋଲେଖ ସ୍ୱାଇଁ ଉଠାଇଥିବା ଜଣା ପଡିଥିଲା । ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସାମଗ୍ରୀ ଯୋଗାଣ ନାମରେ ହୋଇଥିବା ଦୁର୍ନିତୀର ତାଲିକା ଲମ୍ବିବାରେ ଲାଗିଥିଲା । ଏହି ପଞ୍ଚାୟତର ଗର୍ଜନପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ବଡଓଲରା ଅଙ୍ଗନବାଡି କେନ୍ଦ୍ର ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୨ରୁ ମେ ୨୦୨୨ ମଧ୍ୟରେ ୧ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ସେହି କେନ୍ଦ୍ର ପାଇଁ ଦ୍ୱିତୀୟ ବିଲ୍ରେ ୧ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ଏହି କେନ୍ଦ୍ରକୁ ପାଣି ମଟର ଦିଆଯାଇନାହିଁ । କିଆଯୋଡି ଓ ସାନଓଲରା ଅଙ୍ଗନବାଡି କେନ୍ଦ୍ରକୁ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏଁ ସରଞ୍ଜାମ ଯୋଗାଇ ଦିଆଯାଇଛି । ଭାଟପଡା ଓ ସାନବଡଗୋପାଳପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୨୦୨୩ ବର୍ଷରେ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏ ଉଠାଇଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ନୁରୁଗାଁ ଓ ଜଗନ୍ନାଥପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଲେଖାଏଁ ବିଲ ଉଠାଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ସବୁଠାରୁ ବଡକଥା ହେଲା, ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଏକାପ୍ରକାର ସାମଗ୍ରୀ ଯୋଗା ଯାଇଥିବା ବେଳେ କେଉଁଠି ୧ଲକ୍ଷ ୧୧ହଜାର ତ ଆଉ କେଉଁଠି ୧ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଯାଇଥିବା ସାମଗ୍ରୀଗୁଡିକ ନିମ୍ନମାନର ଯୋଗୁଁ ସେଗୁଡିକ ଅଚଳ ହୋଇଥିବା ନେଇ ମନୋଜ ରାଉତରାୟ ଅଭିଯୋଗ କରିଥିଲେ । ଏହି ପଚାଂୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ତଦନ୍ତ କରାଗଲେ ଦୁର୍ନିତୀର ଚେର କେତେ ତଳକୁ ଯାଇଛି, ତାହାର ସତ୍ୟାସତ୍ୟ ଜଣାପଡିବ । ଗୋଟିଏ ଅଙ୍ଗନବାଡି କେନ୍ଦ୍ର କୁଶାଇଲୋ ଦୁର୍ନିତୀ ଘଟଣା ବିଡିଓଙ୍କ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଛି । ଏହାପରେ ସମସ୍ତ କେନ୍ଦ୍ରକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି । ଏହି ଘଟଣା ୨୦୨୩ ମସିହା ନଭେମ୍ବର ମାସ ୨୭ତାରିଖ ଦିନ ଲୋକଲୋଚନକୁ ଆସିଥିଲା । ଏହାପରେ ପ୍ରଶାସନ ଏହି ମହାଦୁର୍ନିତୀକୁ ଏଯାବତ୍ ଚପାଇ ରଖିଛି । ଏହି ଘଟଣାରେ ସଂପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧିନ ସ୍ୱାଇଁ ଚଳିତ ବର୍ଷ ମେ ମାସ ୩୧ତାରିଖ ଦିନ ଅବସର ଗ୍ରହଣ କରିସାରିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନିତୀ ଲୋକଲୋଚନକୁ ଆସିଥିଲେ ମଧ୍ୟ ପ୍ରଶାସନ କାହା ଚାପରେ ଚୁପ୍ ରହିଛି ତାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ୨୦୨୪ ମସିହା ସେପ୍ଟେମ୍ବର ୨ତାରିଖରେ ଡାକଯୋଗେ ପଞ୍ଚାୟତବାସୀ ଅଭିଯୋଗ କରିଥିଲେ । ସେହି ସେପ୍ଟେମ୍ବର ମାସ ୧୦ତାରିଖ ଦିନ ରାଜନଗର ବ୍ଲକ ପରିସରରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ କୁଶାଇଲୋ ଗ୍ରାମବାସୀ ଅଭିଯୋଗ କରିଥିଲେ । ୨୦୨୪ ମସିହା ନଭେମ୍ବର ୧୧ତାରିଖ ଦିନ ରାଜନଗରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପୁନର୍ବାର କୁଶାଇଲୋ ଗ୍ରାମବାସୀ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏଯାବତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ସରକାରଙ୍କ ହସ୍ତକ୍ଷପ ଲୋଡିଛନ୍ତି ଅଞ୍ଚଳବାସୀ ।