୨ଦିନ ବଢ଼ିଲା ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ସାମୟିକ ଛୁଟି ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ବର୍ଷକୁ ୧୦ଦିନ ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି(ଆଡସିନାଲ କାଜୁଆଲ ଲିଭ୍‌) ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହିଳାମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ଦିନ ସାମୟିକ ଛୁଟି(କାଜୁଆଲ ଲିଭ) ଓ ୫ଦିନ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ଲିଭ୍‌) ସହ ପାଇପାରିବେ । ଏହି ୧୨ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରିପାରିବେ । ମହିଳାମାନଙ୍କ ମାସିକ ଧର୍ମଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ରାଜ୍ୟର ପୂର୍ବ ବିଜେଡି ସରକାର ମହିଳାମାନଙ୍କୁ ସେମାନଙ୍କ ମାସିକ ଧର୍ମ ପାଇଁ ଅତିରିକ୍ତ ୧୦ଦିନ ସାମୟିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୪ ମାର୍ଚ୍ଚ ୧୨ତାରିଖରେ ଅର୍ଥ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତିି ଜାରି କରିଥିଲା । ଅର୍ଥାତ୍ ମହିଳାମାନେ ବର୍ଷକୁ ୨୫ଦିନ ଛୁଟି ପାଇପାରୁଥିଲେ ।ତେବେ ଗତ ଅଗଷ୍ଟ ୧୫ତାରିଖରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଉଭୟ ସରକାର ଓ ବେସରକାରୀ ମହିଳା କର୍ମଚାରୀମାନଙ୍କୁ ମାସିକ ଧର୍ମ ସମୟରେ ଗୋଟିଏ ଦିନ ସବୈତନିକ ଛୁଟି ମିଳିବ ବୋଲି ଘୋଷଣା କରିଥିଲେ ।