କଲେଜ ଛାତ୍ରୀଙ୍କୁ ଅପହରଣ ଓ କୁକର୍ମ ଘଟଣା: ତଦନ୍ତରେ ଶିଥଳତାକୁ ନେଇ ଅସନ୍ତୋଷ

 ଫୁଲବାଣୀ : ଗତ ଫେବ୍ରୁଆରି ୨୭ରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଓ କୁକର୍ମ ପରେ ନିର୍ମମ ଭାବେ ଛୁରିରେ ତାଙ୍କ ଗଳାକୁ କାଟି ହତ୍ୟା କରାଯାଇଥିଲା  । ପରେ ଶବକୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଥିଲା । ଏକମାସ ପରେ ସୋରଡ଼ା ଥାନା ଗାଜଲବାଡ଼ି ଜଙ୍ଗଲରୁ ତାଙ୍କ ଗଳିତ ଶବ ମିଳିଥିବା ବେଳେ ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ  । ଆଜି ଏ.ଆଇ.ସି.ସି.ର ଫ୍ୟାକ୍ସ୍ ଫାଇଣ୍ଡି ଟିମ୍ ଆଜି କନ୍ଧମାଳ ଜିଲ୍ଲା ଆସି ମାମଲାର ତଦନ୍ତର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି  । ବରିଷ୍ଠ ସାଂସଦ ଦୀପା ଦାସମୁନ୍ସିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ରେ ସାଂସଦ ରଞ୍ଜିତ ରଞ୍ଜନଙ୍କ ସମେତ ପ୍ରଣିତୀ ସିନେ୍ଦ, ସାଂସଦ ଜ୍ୟୋତିମଣି ଓ ଶୋଭା ଓଝା ପ୍ରମୁଖ ସାମିଲ ହୋଇଥିଲେ  । ଟିମ ମୃତକଙ୍କ ଗ୍ରାମକୁ ଯାଇ ତାଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଉଚିତ ନ୍ୟାୟ ପ୍ରଦାନ ଦାବି କରିଛନ୍ତି । ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତରେ ଶିଥିଳତା ଏବଂ ଚାର୍ଜସିଟ୍ ଦାଖଲ ହୋଇ ନଥିବାରୁ ଟିମ ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ମୃତକଙ୍କ ଚାର୍ଜସିଟ ଦାଖଲରେ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସାଂସଦ ରଞ୍ଜିତ ରଞ୍ଜନ ଦାବି କରିଛନ୍ତି । ଏନେଇ କନ୍ଧମାଳ ଏସ୍ପି ହରୀଶ ବିସି କହିଛନ୍ତି, କମିଟି ସମ୍ମୁଖରେ ସମସ୍ତ ତଥ୍ୟ ରଖାଯାଇଥିଲା । ତଦନ୍ତକୁ ନେଇ ସଦସ୍ୟମାନେ ସନ୍ତୋଷ ପ୍ରକଟ କରିଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ସାନଖେମୁଣ୍ଡି ବିଧାୟକ ତଥା କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ରମେଶ ଜେନା, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ରଶେଖର ପରିଡ଼ା ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ପୂର୍ବତନ କାଉନସିଲର ସୂର୍ଯ୍ୟକାନ୍ତ ଦାସଙ୍କ ସମେତ ସାମିଲ ହୋଇଥିଲେ  ।