ନୂଆପଡ଼ାରେ ବିଜେପିର ‘ଜୟ’ : ମୋହନ-ମନମୋହନଙ୍କ ଆଗରେ ଫିକା ନବୀନ

ନୂଆପଡ଼ାରେ ବିଜେପିର ‘ଜୟ’ : ମୋହନ-ମନମୋହନଙ୍କ ଆଗରେ ଫିକା ନବୀନ
  • ଘାସିରାମଙ୍କଠୁ ପଛରେ ରହିଲେ ସ୍ନେହାଙ୍ଗିନୀ
  • ଜୟ ଢେ଼ାଲକିଆ- ବିଜେପି - ୧୨୩୮୬୯
  • ଘାସିରାମ ମାଝୀ- କଂଗ୍ରେସ - ୪୦୧୨୧
  • ସ୍ନେହାଙ୍ଗିନୀ ଛୁରୀଆ - ବିଜେଡ଼ି - ୩୮୪୦୮

   ନୂଆପଡ଼ା : ନୂଆପଡ଼ାରୁ ନେଇ ବିହାର ଯାଏଁ । ସବୁଠି ଏକପାଖିଆ । ଫଳାଫଳ ଏମିତିଯେ, ସମସ୍ତେ ଚକିତ ହୋଇଗଲେ । ସବୁ ଏକଜିଟ୍‌ ପୋଲ୍‌ ଆକଳନ ବି ଭୁଲ୍‌ ହୋଇଗଲା । ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୨୩୮୬୯ ଭୋଟ୍‌ ହାସଲ କରି ୮୩୭୪୮ ଖଣ୍ଡ ଭୋଟ୍‌ରେ ବିପୁଳ ବିଜୟ ହାସଲ କରିଛନ୍ତି । ତାଙ୍କୁ ମିଳିଛି ୫୮.୨୭% ଭୋଟ୍‌ । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦୧୨୧ ଖଣ୍ଡ ଭୋଟ୍‌ ମିଳିଛି । ସବୁଠାରୁ ବଡ଼ କଥାଟି ହେଉଛି ସେ ବିଜେଡ଼ିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କୁ ୧୮.୮୭% ଭୋଟ୍‌ ମିଳିଛି । ବିଜେଡ଼ି ପ୍ରାର୍ôଥନୀ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ୩୮୪୦୮ ଖଣ୍ଡ ଅର୍ଥାତ୍‌ ୧୮.୦୭% ଭୋଟ୍‌ ମିଳିଛି । 


     ଆଜି କି ଫଳ ବାହାରିବ ଇଭିଏମରୁ । ସକାଳୁ ସକାଳୁ ସାରା ରାଜ୍ୟରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ସକାଳ ୮ରୁ ପୋଷ୍ଟାଲ ଭୋଟ୍‌ ଗଣତି ଆରମ୍ଭ ହେବାର ଥିଲା । ହେଲେ ଠିକ୍‌ ସମୟରେ ଗଣତି ଆରମ୍ଭ ହୋଇପାରିନଥିଲା । ଶେଷରେ ଏକକାଳୀନ ପୋଷ୍ଟାଲ ଭୋଟ୍‌ ଓ ପ୍ରଥମ ରାଉଣ୍ଡ ଇଭିଏମ୍‌ ଗଣତି ହୋଇଥିଲା । ସକାଳ ପ୍ରାୟ ୯ଟା ୧୫ ବେଳକୁ ପ୍ରଥମ ଫଳ ବାହାରିଲା । ନୂଆପଡ଼ା ବ୍ଳକରୁ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରଥମ ରାଉଣ୍ଡରୁ ହିଁ ସାଢେ଼ ୩ ହଜାର ଅଗ୍ରଣୀ ଲାଭ କରିଥିଲେ ଜୟ । ସେତିକିବେଳୁ କଂଗ୍ରେସ ଓ ବିଜେଡ଼ି ଶିବିରରେ ଛନକା ପଶି ଯାଇଥିଲା । ଦ୍ୱିତୀୟ ରାଉଣ୍ଡରେ ବି ସମାନ ସ୍ଥିତି । ପଞ୍ଚମ ରାଉଣ୍ଡ ବେଳକୁ ବିଜେପି ପ୍ରାୟ ୧୮ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଆଗେଇ ଥିଲା । ଫଳରେ ଆଉ କଂଗ୍ରେସ ଓ ବିଜେଡ଼ିର ଚାନ୍ସ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିଲା । କୋମନା ଉପରେ ବିଜେଡ଼ି ଭରସା କରିଥିଲା । ସେଠି ସ୍ଥିତି ଆହୁରି ଖରାପ ହୋଇଗଲା । ଶେଷକୁ ସ୍ଥିତି ଏମିତି ହୋଇଥିଲାଯେ, ୪୦ ହଜାର ଭୋଟ୍‌ ପାଇବାରେ ବିଜେଡ଼ି ବିଫଳ ହୋଇଥିଲା । କଂଗ୍ରେସ ଠାରୁ ପଛରେ ରହି ବିଜେଡ଼ି ଏକ ଅଲୋଡ଼ା ରେକଡର଼୍ ବି ସୃଷ୍ଟିକରିଛି । 


   

      ନୂଆପଡ଼ା ନିର୍ବାଚନ ଫଳାଫଳ ବିଜେପିକୁ ବେଶ୍‌ ଉତ୍ସାହିତ କରିଛି । ଲୋକସଭା ନିର୍ବାଚନରେ ବିଜେପି ପ୍ରାୟ ୮୦ ହଜାର ଭୋଟ୍‌ ପାଇଥିବାବେଳେ ଏବେ କିନ୍ତୁ ଆଉ ୪୩ ହଜାର ଭୋଟ୍‌ ଅଧିକ ହାତେଇବାରେ ସଫଳ ହୋଇଛି । ଜୟ ଢୋଲକିଆଙ୍କୁ ବିଜେପି ଟିକେଟ ଦେଇ ବିଜେପି ଯେଉଁ ରଣନୀତି କରିଥିଲା ସେଥିରେ ବେଶ୍‌ ସଫଳ ହୋଇପାରିଛି । ରାଜେନ୍ଦ୍ର ଢୋଲକିଆଙ୍କ ଭୋଟ୍‌ ବ୍ୟାଙ୍କ ଜୟଙ୍କ ଖାତାକୁ ଆସିଥିଲା । ପ୍ରାରମ୍ଭରେ ରାଜେନ୍ଦ୍ରଙ୍କ ସମର୍ଥକମାନେ ଦ୍ୱନ୍ଦ୍ୱରେ ଥିଲେ ମଧ୍ୟ ଶେଷବେଳକୁ ଏହି ଭୋଟ୍‌ ସବୁ ବିଜେପି ହାତେଇ ପାରିଥିଲା । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ଚେହେରା ହୋଇଥିବାରୁ ଆଦିବାସୀ ଭୋଟ୍‌ ବ୍ୟାଙ୍କ ବି ବିଜେପି ଆଡ଼କୁ ମୁହାଁଇଥିଲା । କାହିଁକିନା ନୂଆପଡ଼ାରେ ଲକ୍ଷାଧିକ ଭୋଟ୍‌ ଆଦିବାସୀ ଓ ଦଳିତ ବର୍ଗର । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ପ୍ୟାକେଜ୍‌ ବି ଦଳକୁ ବେଶ୍‌ ସହାୟକ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଯୋଡ଼ିଙ୍କ ରଣନୀତି ଆଗରେ ନବୀନ ଓ ତାଙ୍କ ସେନାବାହିନୀର ରଣନୀତି ଫିକା ପଡ଼ିଗଲା । ସେପଟେ ବିଜେଡ଼ି ଅତି କମରେ ୬୦ ହଜାର ଭୋଟ୍‌ ପାଇବାକୁ ଯେତେ ଫନ୍ଦିଫିକର କରିଥିଲେବି ସଫଳ ହୋଇନଥିଲା । ନୂଆପଡ଼ା ବ୍ଳକ ହେଉକି କୋମନା ବ୍ଳକ ସବୁଠି ଦଳ ବହୁ ପଛରେ ପଡ଼ିଗଲା । ଅପରପକ୍ଷରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ନେଇ ନୂଆ ରଣନୀତିରେ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନ ପାଣ୍ଠିର ଅଭାବ ଥିଲେବି ସେମାନେ ହାର୍‌ ମାନିନଥିଲେ । ଯାହାର ପ୍ରତିଫଳନ ଭୋଟ୍‌ରେ ବି ଦେଖିବାକୁ ମିଳିଥିଲା । ବିଜେଡ଼ିକୁ ଦଳ ପଛରେ ପକାଇ ଦେଇଥିଲା ।