ଜେଲରେ ଚାଲିଛି ଅବାଧ ନିଶା କାରବାର 

 କେନ୍ଦୁଝର: ଜିଲ୍ଲା କାରାଗାରରେ ଚାଲିଛି ଅବାଧ ନିଶା କାରବାର । ବାହାରୁ କଏଦୀଙ୍କ ପାଇଁ ଆସୁଛି ଗଞ୍ଜେଇ, ମଦ, ଭାଙ୍ଗ, ବିଡି, ଖଇନି, ଗୁଟଖା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ । ଜେଲ୍ରେ ବହୁ କଏଦୀ ନିଶାଦ୍ରବ୍ୟ ଖାଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଜେଲରେ କଟକଣା ନ ଥିବାରୁ ନିଶାଦ୍ରବ୍ୟ ନିୟମିତ ଚାଲାଣ ହେଉଛି । ଜେଲ୍ ଭିତରକୁ କିଏ ଏବଂ କିପରି ମାଦକ ଦ୍ରବ୍ୟ ନେଇଛି ତାହା ତଦନ୍ତ ପରେ ଜଣାଡିବ । ଜେଲ୍ ଭିତରକୁ ଯାଉଥିବା କର୍ମଚାରୀଙ୍କୁ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ କଡାକଡି ଯାଞ୍ଚ କରାଯାଉନାହିଁ । ଜେଲ୍ ଅନ୍ତେଃବାସୀଙ୍କ ପାଇଁ ବାହାରୁ ଆସୁଥିବା ଖାଦ୍ୟ ପୁଡିଆ ଏବଂ ଟିଫିନ ଡବାକୁ ସିସିଟିଭି ସାମ୍ନାରେ ଦେଖାଇବାର ନିୟମ ଥିଲେ ହେଁ ଏହା କରାଯାଉନାହିଁ । ଜେଲ କର୍ମଚାରୀଙ୍କ ମିଲି ଭଗତରେ ଏଭଳି ନିଶା କାରାବାର ଚାଲିଥିବା ଅଭିଯୋଗ ହୋଇଛି । ଗତ ମାସ ଜେଲ ଭିତରକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡିଥିଲେ ହେଁ ଏହାକୁ ଚାପି ଦିଆଯାଇଥିଲା । ସେହିପରି ଗତ ମାର୍ଚ୍ଚ ମାସରେ ଏ ନେଇ ମାଜିଷ୍ଟ୍ରେଟଙ୍କ ନିକଟରେ ଆଜୀବନ ସଜା କାଟୁଥିବା ଦାରା ସିଂ ଅଭିଯୋଗ କରିଥିଲେ । ଏହା ପରେ ତନାଘନା ଆରମ୍ଭ ହୋଇଥିଲା । ଏହା ପରେ ତୁରନ୍ତ ପଦକ୍ଷେପ ନେବାକୁ ମାଜିଷ୍ଟ୍ରେଟ ଜେଲରଙ୍କୁ ନିଦେ୍ର୍ଦଶ ଦେବା ପରେ ଜେଲ କର୍ତ୍ତୃପକ୍ଷ ହରଡଘଣାରେ ପଡି ଚିଫ୍ ୱାର୍ଡରଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ । ତେବେ ଏହି ଘଟଣାରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଘଟଣା ପରେ ମଧ୍ୟ ଜେଲ୍କୁ ନିୟମିତ ମାଦକଦ୍ରବ୍ୟ ବେଧଡ଼କ ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି । ବାହାରୁ କମ୍ ଦରରେ ମାଦକଦ୍ରବ୍ୟ କ୍ରୟ କରି ଜେଲରେ ଥିବା କଏଦୀଙ୍କୁ ଅଧିକ ଦରରେ ବିକ୍ରୀ କରି ୱାର୍ଡର ମାନେ ବେଶ୍ ଲାଭବାନ୍ ହେଉଛନ୍ତି । ପୋଲିସ ପକ୍ଷରୁ ଜେଲରେ ଅତର୍କିତ ଯାଞ୍ଚ କଲେ ଏହାର ପର୍ଦ୍ଦାଫାଶ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଜେଲ୍ରେ କଏଦୀଙ୍କ ପାଇଁ ଆସୁଥିବା ଗ୍ରୋସରୀ ମଧ୍ୟ କେତେକ ୱାର୍ଡର ବ୍ୟାଗରେ ନେଉଛନ୍ତି । ଜେଲ ଗେଟରେ ଥିବା କର୍ମଚାରୀ ଏହାର ଯାଞ୍ଚ କରୁ ନଥିବାରୁ ଏହି କାରବାର ବେଧଡକ ଚାଲିଛି ।