ବାତ୍ୟା ଦାନାର ପ୍ରଭାବ: ଗ୍ୟାସ ପାଇଁ ହନ୍ତସନ୍ତ ବ୍ରହ୍ମବରଦାବାସୀ

Jajpur News

ବାତ୍ୟା ଦାନାର ପ୍ରଭାବ: ଗ୍ୟାସ ପାଇଁ ହନ୍ତସନ୍ତ ବ୍ରହ୍ମବରଦାବାସୀ


 ବ୍ରହ୍ମବରଦା : ସାମ୍ଭାବ୍ୟ ବାତ୍ୟା "ଦାନା’ ପାଇଁ ବଜାରରୁ ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାରୀ ସହିତ ଉଭାନ ହେଉ ଯାଉଥିବା ବେଳେ ଏଥିରୁ ବାଦ ପଡିନାହିଁ ରନ୍ଧନ ଗ୍ୟାସ । ଏହି କ୍ରମରେ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତରେ ମଧ୍ୟ ରନ୍ଧନ ଗ୍ୟାସର ବହୁ ଅଭାବ ଦେଖାଦେଇଛି । ଲୋକେ ରନ୍ଧନ ଗ୍ୟାସ ନ ପାଇ ହନ୍ତସନ୍ତ ହେଉଥିବା ବେଳେ ତିନି କିଲୋମିଟର ଦୂରଯାଇ ଗ୍ୟାସ କିଣି ଆଣୁଛନ୍ତି । ତାଛଡା ଗ୍ରାହକ ମାନେ ଦୁଇ ତିନି ଦିନ ପୂର୍ବରୁ ଗ୍ୟାସ ବୁକିଂ କରିଥିଲେ ମଧ୍ୟ ଗୋଟେ ଗ୍ୟାସ ପାଇଁ ସକାଳୁ ସନ୍ଧ୍ୟା ଯାଏଁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଏହା ବ୍ୟତୀତ କିଛି ଗ୍ରାହକ ଆବଶ୍ୟକ ମୁତାବକ ରନ୍ଧନ ଗ୍ୟାସ ନ ପାଇ ସେଠାରୁ ଫେରିଆସି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାହାର ସୁଯୋଗ ନେଇ ବ୍ରହ୍ମବରଦା ଅଞ୍ଚଳର କିଛି ଅସାଧୁ ଗ୍ୟାସ ବ୍ୟବସାୟୀ୧୧୦୦ ରୁ୧୨୦୦ଟଙ୍କା କରି ଚଢ଼ା ଦରରେ ଗ୍ୟାସ ବିକ୍ରୟ କରିବା ଆରମ୍ଭ କରିଦେଇଛନ୍ତି । ଯାହାଫଳରେ ଲୋକେ ଅଯଥାରେ ଆର୍ଥôକ ଶୋଷଣର ଶିକାର ହେଉଛନ୍ତି  । ଯାହାକୁ ନେଇ ବ୍ରହ୍ମବରଦା ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି । କାରଣ କିଛିବର୍ଷ ପୂର୍ବରୁ ବ୍ରହ୍ମବରଦା ଅଞ୍ଚଳରେ ଏଚପି ଗ୍ୟାସର ଏକ ଗ୍ରାମୀଣ ବିତରକ କେନ୍ଦ୍ର ଥିଲା । ଯାହାଦ୍ୱାରା ଲୋକେ ସୁରୁଖୁରୁରେ ଘର ନିକଟରେ ଗ୍ୟାସ ପାଇପାରୁଥିଲେ । କିନ୍ତୁ କୌଣସି କାରଣରୁ ତାହା ପରେ ବନ୍ଦ ହୋଇଯାଇଥିଲା ଓ ବ୍ରହ୍ମବରଦାବାସୀ ନାନା ଅସୁବିଧାର ସମ୍ମୁଖୀନ ହେଲେ । କିନ୍ତୁ ଗ୍ରାମବାସୀ ମାନଙ୍କ ଅଭିଯୋଗ କ୍ରମେ ପରେ ଧର୍ମଶାଳା ବ୍ଲକ ଅଧିନ ଥାନୁଆଳ ପଞ୍ଚାୟତରେ ଅବସ୍ଥିତ ଖୁସି ଗ୍ୟାସ ଏଜେନ୍ସିକୁ ବ୍ରହ୍ମବରଦା ଅଞ୍ଚଳରେ ଗ୍ୟାସ ଯୋଗାଇ ଦେବାକୁ କମ୍ପାନୀ ଅନୁମତି ଦେଇଥିଲା । କମ୍ପାନୀ ମଧ୍ୟ ବ୍ରହ୍ମବରଦା ଅଞ୍ଚଳକୁ ଯାଇ ଘରେ ଘରେ ଗ୍ୟାସ ବିତରଣ କରୁଥିଲା । କିନ୍ତୁ ଧୀରେ ଧୀରେ ପରବର୍ତ୍ତୀ ସମୟରେ ଉକ୍ତ ଏଜେନ୍ସି ବ୍ରହ୍ମବରଦା ଅଞ୍ଚଳକୁ ଯାଇ ଗ୍ୟାସ ପହଁଚାଇବା କାର୍ଯ୍ୟ ବନ୍ଦ କରିଦେଇଥିଲା । ପରେ ଉକ୍ତ ଖୁସି ଗ୍ୟାସ ଏଜେନ୍ସି ବ୍ରହ୍ମବରଦା ଠାରୁ ୩ କିଲୋମିଟର ଦୂର ଧର୍ମଶାଳା ବ୍ଲକ ଅଧିନ କୋତପୁର ପଞ୍ଚାୟତ ଭାଗବାନପୁର ଗ୍ରାମରେ ଏକ ଭଡା ଘରେ ଗ୍ରାହକ ମାନଙ୍କୁ ଗ୍ୟାସ ଯୋଗାଇଥିଲା । ଯାହାଫଳରେ ଏବେ ଅଭିଭକ୍ତ ବ୍ରହ୍ମବରଦା ଅଞ୍ଚଳର ପାଖାପାଖି ୭ହଜାର ଉପଭୋକ୍ତା ଉକ୍ତ ସ୍ଥାନକୁ ଯାଇ ଗ୍ୟାସ ଆଣିବା କାଠିକର ପାଠ ହୋଇପଡିଛି ।