ଢେଙ୍କାନାଳ ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ନିଦର୍ଶନ : ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ଢେଙ୍କାନାଳର ଲକ୍ଷ୍ମୀପୂଜା ଓଡିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ନିଦର୍ଶନ । ଏହି ପୂଜା ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛି ।
ଢେଙ୍କାନାଳରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଅନେକ ପୂଜା ମଣ୍ଡପ ପରିଦର୍ଶନ କରି ସ୍ଥାନୀୟ ମହାବୀର ବଜାର କ୍ଲବର ପୂଜା ପେଣ୍ଡାଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସହଧର୍ମିଣୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ । ମହାବୀର କ୍ଲବ ଚଳିତ ବର୍ଷ ଏହାର ୭୫ତମ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୀର୍ଘ ୭୫ ବର୍ଷ ଧରି ଆପଣମାନଙ୍କ ପୂର୍ବ ପିଢି ସମୟରୁ ଏହି ପୂଜା ନିରବିଚ୍ଛିନ୍ନ ଭାବେ ଚାଲିଆସିଛି । ଏହା ଆପଣମାନଙ୍କ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବର ନିଦର୍ଶନ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପୁରାଣ ଓ ଶାସ୍ତ୍ର ମାନଙ୍କରେ ମହାଲକ୍ଷ୍ମୀଙ୍କ ମହାତ୍ମ୍ୟ ପର୍ଯ୍ୟାପ୍ତ ଭାବେ ବର୍ଣ୍ଣନା କରାଯାଇଛି । ଭାରତୀୟ ସଂସ୍କୃତି ଓ ଦର୍ଶନରେ ମହାଲକ୍ଷ୍ମୀ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ । କେଉଁ ଆବହମାନ କାଳରୁ ମହାଲକ୍ଷ୍ମୀ ପୂଜା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ମହୋତ୍ସବର ମାନ୍ୟତା ଲାଭ କରିଛି । ଭୁବନେଶ୍ୱର ସ୍ଥିତ ଉଦୟଗିରି ଗୁମ୍ଫାରେ ଗଜଲକ୍ଷ୍ମୀଙ୍କ ଚିତ୍ର ହେଉଛି ଓଡିଶାରେ ଲକ୍ଷ୍ମୀପୂଜାର ପ୍ରାଚୀନତମ ନିଦର୍ଶନ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଢ଼େଙ୍କାନାଳ ଆସିଥିବାରୁ ସହରବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇ କହିଥିଲେ ଯେ ସରକାର ଆସିବାର ୧୦୦ ଦିନ ମଧ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଏବଂ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ଅନୁଯାୟୀ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ଆମ ସରକାରଙ୍କ ବଡ ଉପଲବ୍ଧି । କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ହିନେ୍ଦାଳ ବିଧାୟିକା ସୀମା ରାଣୀ ନାୟକ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ପୂଜା କମିଟିର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।