ବିନା ସୂଚନା ଫଳକରେ ସ୍କୁଲ ଗୃହ ମରାମତି
କାଳିଆପାଣି: ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତ ଚିରିଗୁଣିଆରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ମରାମତି ହେଉଛି । ସ୍କୁଲର ମରାମତି କାର୍ଯ୍ୟ ଚଳୁଥିଲେ ମଧ୍ୟ ସୂଚନା ସାର୍ବଜନୀନ କରାଯାଇନି । ଫଳକ ତିଆରି ହୋଇଛି, ହେଲେ ସୂଚନା ନାହିଁ । ଫଳକ ମାରି କାର୍ଯ୍ୟ କରୁଥିବା ଠିକାଦାର କାର୍ଯ୍ୟ ସାରି ଦେଇଥିବା ବେଳେ ସାଧାରଣ ଲୋକେ ମରାମତି କାର୍ଯ୍ୟ କେଉଁ ଯୋଜନାରେ ହେଉଛି, କେତେ ଅର୍ଥ ବରାଦ ହୋଇଛି, ଠିକାଦାର ତାହା ପୁରାପୁରି ଅନ୍ଧାରରେ ରଖାଯାଇଛି । ସରପଞ୍ଚ ସମିତି ସଭ୍ୟକୁ ଏକଥା ଜଣା ନଥିବା କହିଛନ୍ତି । ଏଣୁ ପଞ୍ଚାୟତ ପ୍ରତିନିଧିଙ୍କ ଅଗୋଚରରେ କାର୍ଯ୍ୟ କରାଯାଉଥିବା ଏବଂ ସୂଚନା ପ୍ରଦାନ କରାଯାଇ ନଥିବାରୁ କାର୍ଯ୍ୟରେ ଦୁର୍ନୀତି କରାଯାଉଥିବାର ସନେ୍ଦହ କରାଯାଉଛି । ସମସ୍ତ କାର୍ଯ୍ୟର କାର୍ଯ୍ୟାଦେଶ ଯନ୍ତ୍ରୀ ନାମରେ ରହୁଥିବା ବେଳେ, ପିସି ନେବାର ଏକ ସହଜ ମାଧ୍ୟମ ପାଲଟିଛି ବୋଲି ଅଭିଯୋଗ ହେଉଛି । ତେବେ ସ୍କୁଲ କାର୍ଯ୍ୟ ବ୍ଲକ୍ ଅଧିନରେ ହେଉଥିବା ଜଣାପଡ଼ୁଥିବାରୁ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ ଜ୍ଞାନରଞ୍ଜନ ବେହେରାଙ୍କୁ ଫୋନ କରାଯାଇଥିଲେ ହେଁ ସେ ଉଠାଇ ନଥିଲେ । ବ୍ଲକକୁ ଆସିଥିବା ନୂଆ ବିଡିଓ ଏହାର ତଦନ୍ତ କରିବା ସହ କାର୍ଯ୍ୟ ପାଇଁ ଥିବା ନିୟମକୁ କଡ଼ା କଡ଼ି କରିବାକୁ ଦାବି କରାଯାଇଛି ।