ବିଜେପିରେ ଜିତୁ, ଗଣେଶଙ୍କୁ ବୁଷ୍ଟର ଡୋଜ୍
Jitu mitra, Prasanta Jagadev

ଭୁବନେଶ୍ୱର : ବିଜେଡ଼ି ଛାଡ଼ିଛନ୍ତି ଆଉ ଜଣେ ବିଧାୟକ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି । ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ବେଳେ ସେ ବିଜେପିରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ପ୍ରଚାରର ଶେଷଦିନରେ ଜିତୁଙ୍କ ନିଷ୍ପତ୍ତି ଖୋର୍ଦ୍ଧା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ଜିତୁ ମିଶୁମିଶୁ ବିଜେପି ପାଇଁ ପ୍ରଚାର ବି କରିଥିଲେ । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ ମଧ୍ୟ ମାଗିଥିଲେ । ଗୋଶାଳା ପଡ଼ିଆର ଏହି ରାଜନୀତିକ ଚିତ୍ର ଏବେ ହଟଚମଟ ସୃଷ୍ଟିକରିଛି । ଖୋର୍ଦ୍ଧାରେ ଜିତୁ ଥରେ ସ୍ୱାଧୀନ ଓ ଦୁଇଥର ବିଜେଡ଼ିରୁ ବିଧାୟକ ହୋଇଛନ୍ତି । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ରହି ଆସିଥିଲା । ଏକଦା ଜିତୁ ଓ ରାଜ ଗୁରୁ ଶିଷ୍ୟ ଥିଲେ ମଧ୍ୟ ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା । ଦୁଇ ଜଣ ରାଜନୀତିକ ମଇଦାନରେ ମୁହାଁମୁହିଁ ହୋଇଥିବାବେଳେ ଦୁଇଥର ଯାକ ଜିତୁଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏଥର ବି ଜିତୁ ଟିକେଟ ପାଇଁ ଆଶା ରଖିଥିଲେ ବି ଦଳ ରାଜେନ୍ଦ୍ରଙ୍କୁ ଟିକେଟ ଦେଇଥିଲା । ବହୁଦିନ ଧରି ଜିତୁ ନୀରବ ରହିବା ସହ ଗଣେଶଙ୍କୁ ଭିତିରିଆ ସମର୍ଥନ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଦଳ ଛାଡ଼ିନଥିବାରୁ ସବୁକିଛି ସସପେନ୍ସ ରହିଥିଲା । ଖୋର୍ଦ୍ଧାରେ ଜିତୁଙ୍କର ପ୍ରାୟ ୩୦ ହଜାର ପକେଟ ଭୋଟ ମଧ୍ୟ ରହିଛି । ଶେଷ ମୁହୂର୍ତ୍ତରେ ଜିତୁଙ୍କ ନିଷ୍ପତ୍ତି ଅପରାଜିତା ଓ ପ୍ରଶାନ୍ତଙ୍କ ଶିବିରକୁ ଉତ୍ସାହିତ କରିଥିବାବେଳେ ରାଜଙ୍କ ଶିବିରକୁ ଚକିତ କରିଦେଇଥିଲା । ଏବେ ଜିତୁ କେତେ ଭୋଟ ପ୍ରଶାନ୍ତଙ୍କ ଖାଳେଇରେ ପୂରାଉଛନ୍ତି ତାହା ଜୁନ୍ ୪ରେ ହିଁ ଜଣାପଡ଼ିବ ।