ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି କୁମାର ବାପି

କୁମାର ବାପି । ଓଡିଆ ସଂଗୀତ ଜଗତର ଜଣେ ପରିଚିତ ନାଁ । ରୋମାଣ୍ଟିକ ହେଉକି ସ୍ୟାଡ଼ ସଙ୍ଗ, ଅବା ହେଉ ଭଜନ । ସବୁ ଗୀତ ଛୁଇଁଯାଏ ଶ୍ରୋତାଙ୍କ ହୃଦୟକୁ । ତାଙ୍କ ଗୀତରେ ଥାଏ ଫିଲ୍... । ଖାସ୍ ସେଇଥିପାଇଁ ତ ବାରବାର ଶୁଣିବାକୁ ଇଚ୍ଛା ହୁଏ କୁମାର ବାପିଙ୍କ ଗୀତ । ଅଢ଼େଇ ଦଶନ୍ଧି ଧରି ସେ ଶ୍ରୋତାଙ୍କ ଭଲପାଇବା ସାଉଁଟ ଚାଲିଛନ୍ତି ।
ଆଖି ପଲକରେ ତୁ, ଖେଳନା....ଖେଳନା...ମୁଁ ନୁହେଁ ଖେଳଣା, ଆଗରୁ ପ୍ରେମରେ କେବେ ପଡିନଥିଲି, ପାଗଳ ପ୍ରେମୀ, ବନ୍ଧୁତାକୁ ଡାକି ଦିନେ ପଚାରିଲି, ମତେ ତ ଲଭ୍ ହେଲାରେ, ଭୁଲି ମୁଁପାରୁନି ମୋର ପ୍ରଥମ ପ୍ରେମକୁ, ଏ ଜୀବନ ସତେ ଅଗ୍ନି ପଥଟିଏ, ଭାବରେ ସହରେ ମୋର କଳାଠାକୁର, ...ଏମିତି ଅନେକ ଗୀତକୁ ସ୍ୱରରେ ସଜାଇଛନ୍ତି । ଆଜିଯାଏଁ ପ୍ରାୟ ସବୁ ଓଡିଆ ତାଙ୍କର ଗୀତକୁ ଗୁଣୁଗୁଣେଇ ଥାଆନ୍ତି । ସବୁଠୁ ବଡ କଥା ହେଉଛି ସେ ଦ୍ୱିଅର୍ଥବୋଦକ ଗୀତକୁ କେବେ ବି ପ୍ରଶୟ ଦେଇ ନାହାଁନ୍ତି । କେବେ ସେ ଭକ୍ତିଭାବରେ ବୁଡି ଯାଇଥାନ୍ତି ତ ଆଉ କେବେ ପ୍ରେମ ପ୍ରତାରଣା ବାଟର ବାଟୋଇ ସାଜି ସଂଗୀତକୁ ନୂଆ ଏକ ସ୍ୱର ସଂଯୋଜନା ସହ ପ୍ରଦର୍ଶିତ କରିଥାନ୍ତି ।
ମହାପ୍ରଭୁ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ହେଉ ଅବା ମା’ ତାରିଣୀଙ୍କର ଭକ୍ତିପୂତ ଆରତୀ ହେଉ, ସବୁ ଭଜନକୁ ସେ ନିଜ ଅନ୍ତରର ସହ ହୃଦୟଙ୍ଗମ କରି କଣ୍ଠଦାନ କରିଥାନ୍ତି । ତାଙ୍କ ଗୀତରେ ଭରି ରହିଛି ଭକ୍ତି, ଶ୍ରଦ୍ଧାଞ୍ଜଳି, ଆନ୍ତରିକତା, ପ୍ରେମ ଓ ହୃଦୟର ଯନ୍ତ୍ରଣା ।
କୁମାର ବାପିଙ୍କ ଘର ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଭୋଗରାଇ ଗାଁରେ । ପିତା ନାରାୟଣ ଚନ୍ଦ୍ର ନାୟକ ଏବଂ ମାଆ ଶାନ୍ତିଲତା ନାୟକ । କୁମାର ବାପି କୁହନ୍ତି, ସଙ୍ଗୀତ ତାଙ୍କର ପ୍ରାଣ । ସଂଗୀତ ବିନା ସେ ବଞ୍ଚି ପାରିବେ ନାହିଁ । ତାଙ୍କର ପ୍ରତିଟି ପ୍ରତିଟି ମୁହୂର୍ତ୍ତ ସଙ୍ଗୀତରୁ ହିଁ ଆରମ୍ଭ ହୁଏ । ତାଙ୍କ ମା’ଙ୍କର ପ୍ରେରଣା ହିଁ ମତେ ସଂଗୀତ ଜଗତକୁ ଟାଣିଆଣି ଆଜି ଏତେ ସଫଳତା ଦେଇଛି ବୋଲି ସେ କୁହନ୍ତି । ସ୍ୱରୂପ ନାୟକ ହିଁ ତାଙ୍କୁ ସଙ୍ଗୀତର ପାଠ ପଢାଇଥିଲେ । ସଂଗୀତ ନିଦେ୍ର୍ଦଶକ ବିଜୁ ସ୍ୱାଇଁ ବି ତାଙ୍କର ସଂଗୀତ ଗୁରୁ । ନାରୀ ନୁହେଁ ତୁ ନରାୟଣୀ ଚଳଚ୍ଚିତ୍ରରେ ‘ଆଖି ତୋର ନୀଳ ନୟନା... ଗୀତ ବୋଲିବାକୁ ସୁଯୋଗ ଦେଇଥିଲେ ସ୍ୱରୂପ ନାୟକ । ‘ମନ ମୋର.... ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ବିଜୁ ସ୍ୱାଇଁ । ଏହି ଦୁଇ ମହାନାୟକଙ୍କ ହାତ ଧରି ପ୍ରଥମେ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ ।