ଗହଣା ଦୋକାନରୁ ଲୁଟିନେଲେ ୧ କୋଟି

 ଖଇରା : ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ପ୍ରହରାଜପୁର ଗ୍ରାମରେ ବୁଧବାର ରାତିରେ ସଶସ୍ତ୍ର ଡକାୟତି ଘଟଣାରେ ଦୁବୃର୍ତ୍ତମାନେ ଜଣେ ଗହଣା ଦୋକାନୀଙ୍କ  ଘରୁ ନଗଦ ୯ ଲକ୍ଷ ଟଙ୍କା ସହ ୧କୋଟି ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖଇରା ଥାନା ଆଇଆଇସି ଛୁଟିରେ ଥିବାବେଳେ ଔପଦା ଥାନାଧିକାରୀ ପ୍ରମୋଦ ଦାସ ଘଟଣା ସ୍ଥଳରେ ପହଞ୍ଚô ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରିଛି  । ତୁଡିଗଡିଆ ବଜାରର ଶଙ୍କର ଗହଣା ଦୋକାନୀର ମାଲିକ ସଞ୍ଜୟ ସାହୁ ନିଜ ପରିବାର ଲୋକଙ୍କ ସହ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ସମୟରେ ୫ ଜଣ ଦୁବୃର୍ତ୍ତ କବାଟ ତାଡି ଘରେ ପଶି ବନ୍ଧୁକ ଦେଖାଇବା ସହ ଏକ ବ୍ୟାଟରେ ସଞ୍ଜୟଙ୍କ ସ୍ତ୍ରୀ ଓ ବୃଦ୍ଧା ମା’ ଓ ଛୋଟ ଛୁଆକୁ  ମାଡ ମାରିଥିଲେ । ଭୟରେ ସଞ୍ଜୟ ଆଲମୀରା ଚାବି ଦେଇଦେବା ପରେ ଦୁବୃର୍ତ୍ତମାନେ ସମସ୍ତଙ୍କ ହାତଗୋଡ ବାନ୍ଧି ଗହଣା ଓ ଟଙ୍କା ଲୁଟି ନେଇଥିଲେ । ଯିବାବେଳେ କଳା ରଙ୍ଗର ଟର୍ଚ୍ଚ ଓ ହେଲମେଣ୍ଟ ଛାଡି ଯାଇଛନ୍ତି । ମାଡରେ ଆହତ ବୃଦ୍ଧା ନିଳିମାଙ୍କୁ ଚକିତ୍ସାପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି କ୍ରମାଗତ ଲୁଟ ଓ ଡକାୟତି ସାଧାରଣ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି କରୁଥିବାରୁ ରାତି ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହୋଇଛି ।