ଛତିଶା ନିଯୋଗର ବୈଠକ : ପହଣ୍ଡି ବେଳେ ରହିବେ ସ୍ୱତନ୍ତ୍ର ଅଧିକାରୀ
ପୁରୀ : ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମ୍ପର୍ଣ୍ଣ ହୋଇଛି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ କରାଯାଇଛି । ସେହିଭଳି ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ଓ ସୁନାବେଶର ବ୍ୟବସ୍ଥାବଳୀକୁ ମଧ୍ୟ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଚଳିତବର୍ଷ ବ୍ୟବସ୍ଥାବଳୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଗତବର୍ଷ ଆଡ଼ପମଣ୍ଡପକୁ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳ ଉପରେ ମୁହଁମାଡ଼ି ପଡ଼ିଯିବା ଘଟଣାର ପୁନରାବୃତ୍ତି କିମ୍ବା କୌଣସି ଅଘଟଣ ନଘଟିବା ପାଇଁ ଚଳିତବର୍ଷ ପହଣ୍ଡି ସମୟରେ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଜଣେ ବରିଷ୍ଠ ଅଧିକାରୀ ନିୟୋଜିତ ରହିବେ । ଶ୍ରୀମନ୍ଦିରର ପୋଲିସ ସମ୍ପୃକ୍ତ ଅଧିକାରୀମାନଙ୍କୁ ସହାୟତା କରିବେ । ଶୃଙ୍ଖଳିତ ଭାବେ ପହଣ୍ଡି ବିଜେ କରାଯିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ପହଣ୍ଡି ସମୟରେ ଆବଶ୍ୟକୀୟ ସଂଖ୍ୟକ ସେବାୟତ ରହିପାରିବେ । ବରିଷ୍ଠ ଅଧିକାରୀ, ଭୋଇସେବକ, ରଥ ତତ୍ତ୍ୱାବଧାରକ, ଚାରମାଳ ନିରୀକ୍ଷଣ ଦାୟିତ୍ୱରେ ରହିବେ । ଫଳରେ ଯେକୌଣସି ଅଘଟଣକୁ ଏଡ଼ାଯାଇପାରିବ ବୋଲି ମୁଖ୍ୟ ପ୍ରଶାସକ ଡ଼. ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୈଠକ ପରେ ସୂଚନା ଦେଇ ଡ଼. ପାଢୀ କହିଥିଲେଯେ, ସ୍ନାନପୂର୍ଣ୍ଣମୀ ଦିନ ଶୃଙ୍ଖଳିତ ଭାବେ ଜଳଲାଗି ନୀତି ସଂପନ୍ନ ହେବା ପାଇଁ ବୈଠକରେ ଆଲୋଚନା ହୋଇଛି । ଶୃଙ୍ଖଳିତ ପାବନ ଯାତ୍ରା ସମାପନ ପାଇଁ ସେବାୟତ ଓ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଆଶୀର୍ବାଦ ଭିକ୍ଷା କରିଛନ୍ତି ଡ଼. ପାଢୀ । ଦୀର୍ଘଦିନ ଧରି ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇନଥିବାରୁ ଯାତ୍ରାରେ କୌଣସି ସମସ୍ୟା ସୃଷ୍ଟି ହେବ କି ବୋଲି ପ୍ରଶ୍ନ ହେବାରେ ଡ଼. ପାଢୀ କହିଥିଲେଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜା ରହିଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ରହିଛନ୍ତି । ଦେବୋତ୍ତର ବିଭାଗ କମିଶନର ମଧ୍ୟ କମିଟିର ସଦସ୍ୟ ଭାବେ ରହିଆସିଛନ୍ତି । ତେଣୁ ଏମାନଙ୍କୁ ନେଇ ଆଗକୁ ଏକ ବୈଠକ କରାଯିବ । ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ।