ଇସ୍ତଫା ଦେଲେ ଆଇଟି ସଚିବ ମନୋଜ ମିଶ୍ର

Manoj Mishra resignation

ଇସ୍ତଫା ଦେଲେ ଆଇଟି ସଚିବ ମନୋଜ ମିଶ୍ର

ଭୁବନେଶ୍ୱର : ଆଇଟି ସଚିବ ମନୋଜ ମିଶ୍ର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ପ୍ରଥମ ଥର ପାଇଁ ରାଜ୍ୟରେ ସେ ଠିକାରେ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ  । ଖାଲି ସରକାରରେ ନୁହେଁ, ବିଜେଡ଼ିର ଦଳୀୟ ବ୍ୟାପାରରେ ବି ସେ କ୍ଷମତା ବିସ୍ତାର କରୁଥିଲେ  । ନୂଆ ସରକାର ଆସିବା ପୂର୍ବରୁ ସେ ଆଜି ଇସ୍ତଫା ଦେଇଛନ୍ତି  । ଗତକାଲି ସିଏମଓର ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ର ଓ ମୁଖ୍ୟ ଉପଦେଷ୍ଟା (ପ୍ରମୁଖ ପଦକ୍ଷେପ) ପଦରୁ ଆର ବାଲକ୍ରୀଷ୍ଣନ୍‌ ମଧ୍ୟ ଇସ୍ତଫା ଦେଇଛନ୍ତି  ।

ମନୋଜ ହେଉଛନ୍ତି ୨୦୦୦ ବ୍ୟାଚର ଆଇଆରଟିଏସ ଅଫିସର  । ତେବେ ସେ ଚାକିରୀରୁ ଇସ୍ତଫା ଦେଇ ରାଜ୍ୟ ପ୍ରଶାସନରେ ନିଯୁକ୍ତି ପାଇଥିଲେ  । ତାଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବା ଘଟଣା ପାୱାର କରିଡ଼ରରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା  । ଚଳିତ ନିର୍ବାଚନରେ ସେ ବିଜେଡ଼ିର ଆଇଟି, ସୋସିଆଲ ମିଡ଼ିଆ ଆଦି କଥା ମଧ୍ୟ ବୁଝାବୁଝି କରୁଥିଲେ  । ନୂଆ ସରକାର ତାଙ୍କୁ ପଦରୁ ଅବ୍ୟାହତି ଦେବା ନିଶ୍ଚିତ ବୋଲି ସେ ଜାଣି ସାରିଥିଲେ  । ତେଣୁ ନୂଆ ସରକାର ଶପଥ ନେବା ପୂର୍ବରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି  ।