‘ମହାପ୍ରଭୁ ସଦ୍ବୁଦ୍ଧି ଦିଅନ୍ତୁ’


 ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉସôାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  । ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି  । ଏହା ଅତ୍ୟନ୍ତ ନିନ୍ଦନୀୟ  । ମହାପ୍ରଭୁଙ୍କ ୩ ରଥ ଶରଧାବାଲିରେ ଲାଗିସାରିଛି । ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନ କରୁଛନ୍ତି  । ହେଲେ ହୀନ ରାଜନୀତି କରୁଥିବା ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ବିଜେପି କହିଛି ।ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତିଯେ, ବିଜେଡ଼ି ସରକାର ସମୟରେ ରଥଯାତ୍ରାବେଳେ ଅନେକ ଅଘଟଣ ଘଟିଛି । ପୋଲିସର ଲାଠିମାଡଠାରୁ ନେଇ ରଥ ଉପରେ ୩ ଠାକୁର ଅଘଷା, ଅଖିଆ ରହିବା ଭଳି ଅଘଟଣ ବିଜେଡି ସରକାର ସମୟରେ ରଥଯାତ୍ରା ପରିଚାଳନାର ଅକ୍ଷମତାକ ଅନୁ ପ୍ରମାଣିତ କରିଥିଲା  । ରଥଯାତ୍ରାବେଳେ ୩ ଦିନ ଛୁଟି ପଡିଥିବାରୁ ଯେତିକି ଲୋକ ଆସିବା କଥା ତା’ଠାରୁ ବହୁ ଅଧିକ ଲୋକ ଆସିଥିଲେ  । ତଥାପି ମଧ୍ୟ ବହୁ ଭଲଭାବେ ଟ୍ରାଫିକ୍ ପରିଚାଳନା କରାଯାଇଥିଲା  । ଆର୍ଟିଫିସିଆଲ ଇଂଟେଲିଜେନ୍ସି(ଏଆଇ)ର ବ୍ୟବହାର ସହ ଉନ୍ନତମାନର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ  ପୋଲିସ ପ୍ରଶାସନର ସହଯୋଗ ଫଳରେ ଅତି ସୁନ୍ଦର ଭାବେ ଭିଡ ନିୟନ୍ତ୍ରଣ କରାଯାଇଥିଲା  । ମାତ୍ର ବିଜେଡିର ମାନସିକତା ଶାଗୁଣା ଓ ଚିଲ ଭଳି  । ସେମାନଙ୍କୁ କେବେ ହେଲେ ଭଲ ଜିନିଷ ଦେଖାଯାଏ ନାହିଁ  । ବିଜେପି ସରକାର ଚଳିତ ରଥଯାତ୍ରା ଅଘଟଣ ଶୂନ୍ୟ ଓ ଭବ୍ୟ ଭାବେ ଆୟୋଜନ କରିଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହାନ୍ତି । ଚଳିତ ବର୍ଷର ରଥଯାତ୍ରା ସମୟରେ ଜଣେ ବି ଅଣସେବାୟତ ରଥ ଉପରେ ଚଢ଼ିନାହାନ୍ତି ।  ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ଆରାଧ୍ୟ ଦେବତା  । ସେ ହେଉନ୍ତି ଓଡିଆ ଅସ୍ମିତାର ପ୍ରତୀକ  । ତାଙ୍କୁ ନେଇ ଯିଏ ରାଜନୀତି କରିଛି ସେ ତା’ର ଫଳ ପାଇଛି  । ବିଜୁ ଜନତା ଦଳର ଅରୁଣ ସାହୁ ଆଜି ଯେଉଁଭଳି ମିଥ୍ୟା ଅଭିଯୋଗ କରିଛନ୍ତି, ସେ ତାଙ୍କ ଶାସନକାଳରେ କରିଥିବା ଭୁଲ୍ଗୁଡିକୁ ବୋଧହୁଏ ଭୁଲି ଯାଇଛନ୍ତି  । ନବକଳେବର ମହାବିଭ୍ରାଟ ସମୟରେ ସେ ଆଇନ୍ ମନ୍ତ୍ରୀ ଥିଲେ  । ଦାରୁ ଶଗଡିରେ ବସି ବିଜେଡି ବିଧାୟକ, ମନ୍ତ୍ରୀ ଫଟୋସୁଟ କରିଥିଲେ କି ନାହିଁ ତାହା ଅରୁଣ ସ୍ପଷ୍ଟ କରନ୍ତୁ  । ଏବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ବିଜେଡିର ସାଧାରଣ ସମ୍ପାଦକ କହିଲେ ଯେ ସେ ପୁରୀରୁ ଦାରୁ ଚୋରି କରିଆଣିଛନ୍ତି  । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଦୀଘାକୁ ଜଗନ୍ନାଥ ଧାମ୍ ବୋଲି କହୁଥିବାରୁ ସାରା ଓଡିଶାବାସୀଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇଛି  । ଏନେଇ ବିଜେଡି କାହିଁକି ନିରବ ଅଛି ? ବୋଲି ବିଜେପି ପ୍ରଶ୍ନ କରିଛି  । ମୁଖ୍ୟମନ୍ତ୍ରୀ ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆପାଟ ବେକରେ ପକାଇବା ପାଇଁ ନବୀନ ପଟ୍ଟନାୟକଙ୍କୁ ୧୨ ବର୍ଷ ଲାଗିଥିଲା  । ସେ ଆଜି ରଥଯାତ୍ରା ଉପରେ ପ୍ରେସ ବିବୃତ୍ତି ଜାରି କରିବା ଅତ୍ୟନ୍ତ ହାସ୍ୟାସ୍ପଦ  । ବିଜେପି ସରକାରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପମୁଖ୍ୟମନ୍ତ୍ରୀ, ଅନ୍ୟ କ୍ୟାବିନେଟ ମନ୍ତ୍ରୀ ସଭିଏଁ ରଥଯାତ୍ରାରେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରା ସମାପନ କାମକୁ ତଦାରଖ କରୁଛନ୍ତି  । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମାସେ ହେବ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରିବା ପାଇଁ ପୁରୀରେ ରହି ପ୍ରସ୍ତୁତି କରିଛନ୍ତି  ।  ଅଘଟଣ ଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ବିଜେପି  । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ  ସୁଜିତ୍ ଦାସ  ଉପସ୍ଥିତ ଥିଲେ  ।