ଟେଣ୍ଡର ଦ୍ୱାରା ହେଉ ରାମଚଣ୍ଡୀ ମହାବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟ

Mohan Charan Majhi

ଟେଣ୍ଡର ଦ୍ୱାରା ହେଉ ରାମଚଣ୍ଡୀ ମହାବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର : ରାମଚଣ୍ଡୀ ମହାବିଦ୍ୟାଳୟକୁ ଆସିଥିବା ୩୦ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଟେଣ୍ଡର ଦ୍ୱାରା କରିବାକୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି  । ଏନେଇ ମଞ୍ଚର ଅଧ୍ୟକ୍ଷ ରାମଚଣ୍ଡୀ ପ୍ରସାଦ ରଣସିଂହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇ-ମେଲ୍‌ ଯୋଗେ ଅବଗତ କରାଇଛନ୍ତି  । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଇ-ମେଲ୍‌ ଯୋଗେ ସୂଚନା ଦିଆଯାଇଛି  ।

ଶ୍ରୀ ରଣସିଂହ କହିଛନ୍ତିଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଅନ୍ତର୍ଗତ ଗଡ଼ମାଣତୀରରେ ଥିବା ରାମଚଣ୍ଡୀ ମହାବିଦ୍ୟାଳୟକୁ ଏକ ୩୦ ଲକ୍ଷ ଟଙ୍କାର ବିକାଶ ମୂଳକ ପ୍ରକଳ୍ପ ଆସିଛି  । ଏତେ ବଡ଼ ପ୍ରକଳ୍ପକୁ ଟେଣ୍ଡର ଦ୍ୱାରା କରାଗଲେ କାର୍ଯ୍ୟର ଗୁଣବତ୍ତା ମାନ ବଜାୟ ରହିବା ସହ ସଂପୃକ୍ତ ପେଶାଦାର ଓ ପଞ୍ଜୀକୃତ ଠିକାଦାର ଉତ୍ତରଦାୟୀ ମଧ୍ୟ ରହିପାରିବେ  । ତାହା କରାନଯାଇ, ବିଭାଗୀୟ କାର୍ଯ୍ୟ କରାଗଲେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେବାର ସମ୍ଭାବନା ରହିଛି  । 

ବିଭାଗୀୟ କାର୍ଯ୍ୟ କ୍ଷେତ୍ରରେ ସାଧାରଣତଃ ଜେଇଙ୍କ ନାମରେ କାର୍ଯ୍ୟାଦେଶ ରହୁଛି  । କିନ୍ତୁ ବାସ୍ତବରେ ଟଙ୍କା ଖର୍ଚ୍ଚ କରି ଗାଁର ନେତାମାନେ ହିଁ କାର୍ଯ୍ୟ କରିଥା’ନ୍ତି  । ଏହାଦ୍ୱାରା ପିସି ଓ ଲାଭ ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଚାଲିଯାଉଛି  । ଟେଣ୍ଡର ଦ୍ୱାରା ଏହି କାର୍ଯ୍ୟ କରାଗଲେ ଠିକାଦାରମାନେ ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ୨୬ରୁ ୨୭ ଲକ୍ଷ ଟଙ୍କାରେ କରିପାରନ୍ତେ  । ଅବଶିଷ୍ଟ ଅର୍ଥ ଜରିଆରେ ମହାବିଦ୍ୟାଳୟର ଅନ୍ୟାନ୍ୟ ବିକାଶମୂଳକ ଓ ଆନୁଷଙ୍ଗୀକ କାର୍ଯ୍ୟ କରାଯାଇପାରିବ  । ସେଭଳି ନକରି ବେଗୁନିଆ ବ୍ଳକ ଉନ୍ନୟନ ଅଧିକାରୀ ବିଭିନ୍ନ ଦଳର ନେତାମାନଙ୍କୁ ଡାକି ବାଣ୍ଟିକୁଣ୍ଟି କାମ କରିବାକୁ ପରାମର୍ଶ ଦେବା, ବାଟମାରଣାକୁ ପ୍ରୋତ୍ସାହିତ କରୁଛି ବୋଲି କୁହାଯାଇପାରିବ  । ଏନେଇ ମୁଖ୍ୟମନ୍ତ୍ରୀ ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି  ।