ରାଜ୍ୟସଭାରେ ମହାଭିଯୋଗ ବିରୋଧୀ ଆଣିଲେ ନୋଟିସ
ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ସଦସ୍ୟମାନେ ଶୁକ୍ରବାର ନୋଟିସ୍ ଦେଇଛନ୍ତି। ସେମାନେ ରାଜ୍ୟ ସଭା ମହାସଚିବଙ୍କୁ ଭେଟି ନୋଟିସ୍ ଦେଇଥିଲେ। ପ୍ରସ୍ତାବରେ କପିଲ ସିବଲ, ଦିଗ୍ବିଜୟ ସିଂ, ପି. ଚିଦାମ୍ବରମ୍, ଜୟରାମ ରମେଶ, ରଣଦୀପ୍ ସୁର୍ଜଓ୍ବୋଲା, ମୁକୁଲ ଓ୍ବାସ୍ନିକ, ଜନ୍ ବ୍ରିଟ୍ଟାସ୍, ମନୋଜ କୁମାର ଝା, ସାକେତ୍ ଗୋଖ୍ଲେ, ସଞ୍ଜୟ ସିଂଙ୍କ ସମେତ ୫୫ ଜଣ ବିରୋଧୀ ଏମ୍ପି ସ୍ବାକ୍ଷର କରିଛନ୍ତି।
ଡିସେମ୍ବର ୮ରେ ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଭିଏସ୍ପି ଲିଗାଲ ସେଲ୍ ପକ୍ଷରୁ ଏକକ ଦଓ୍ବୋନୀ ସଂହିତା (ୟୁସିସି) ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଷ୍ଟିସ୍ ଯାଦବ ଏଥିରେ ସମ୍ବୋଧିତ କରି କହିଥିଲେ, ଭାରତ ସଂଖ୍ୟାବହୁଳଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବା ଉଚିତ। ସଂଖ୍ୟାବହୁଳ ଲୋକଙ୍କୁ ଖୁସି ଦେଇ ସେମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା ଆଇନ ପ୍ରଚଳିତ ହେବା ଆବଶ୍ୟକ।
ସୂଚନାଯୋଗ୍ୟ, ଜେସ୍ ଇନ୍କ୍ୱାରି ଆକ୍ଟ, ୧୯୬୮ ଅନୁସାରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ଲୋକ ସଭାର ଅନୂ୍ୟନ ୧୦୦ କିମ୍ବା ରାଜ୍ୟ ସଭାର ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।
ପ୍ରସ୍ତାବ ଆଗତ ହେବା ପରେ ତାକୁ ଗ୍ରହଣ ବା ଅଗ୍ରାହ୍ୟ କରିବା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରେ। ଅଧ୍ୟକ୍ଷ ଯଦି ତାକୁ ଗ୍ରହଣ କରନ୍ତି, ତେବେ ପ୍ରସ୍ତାବ ଉପରେ ତଦନ୍ତ ପାଇଁ ୨ ବିଚାରପତି ଓ ଜଣେ ଜୁରିଷ୍ଟଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ବିଚାରପତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ଏବଂ ଅନ୍ୟ ଜଣେ ହାଇକୋର୍ଟ ଚିଫ୍ ଜଷ୍ଟିସ୍ ରହିବେ। ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭାର ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ।
ସୂଚନାଯୋଗ୍ୟ, ବିଚାରପତି ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାକୁ ଥିବାବେଳେ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କ କାର୍ଯ୍ୟରେ ପରିବର୍ତ୍ତନ କରିଛନ୍ତି। ବହୁ ମାସ ହେଲା ଜଷ୍ଟିସ୍ ଯାଦବ ଆପରାଧିକ ମାମଲାଗୁଡ଼ିକର ବିଚାର କରିଆସୁଥିାବବେଳେ ଏବେ ତାଙ୍କୁ କେବଳ ଦଓ୍ବୋନି ମାମଲାର ଶୁଣାଣି ଦାୟିତ୍ୱ ଦିଆଯାଇଛି।