ଓଡ଼ିଶା ଆସିବା ପୂର୍ବରୁ ଏମିତି କହିଲେ ମୋଦି
Narendra Modi
ଭୁବନେଶ୍ୱର : ମୁଁ ଅପରାହ୍ନରେ ଭୁବନେଶ୍ୱର ଆସୁଛି । ଆଉ ଦିଦିନ ଭୁବନେଶ୍ୱରରେ ଡିଜିପି/ଆଇଜିପି ସମ୍ମିଳନୀରେ ଯୋଗାଦେବି । ଭାରତର ବରିଷ୍ଠ ପୁଲିସମାନେ ଏହି ସମ୍ମିଳନୀରେ ଯୋଗଦେବେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଆଲୋଚନା ହେବ । ଜନ ସୁରକ୍ଷା ଉନ୍ନତ କରିବା ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରାଯିବ । ଆଜି ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ବି ସେ ସମ୍ବୋଧିତ କରିବେ । ଜୁନରେ ବିଜେପି ସରକାର ଆସିବା ପରେ ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଗରିବ ଓ ଅବହେଳିତ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି ।
ଆଜି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିପି ସମ୍ମିଳନୀ ପାଇଁ ସେ ଭୁବନେଶ୍ୱର ଆସୁଥିଲେବି ଦଳୀୟ ନେତାଙ୍କ ସହ ବିଚାର ବିମର୍ଷ କରିବେ । ବିଜେପି ସରକାର ଆସିବା ପରେ ଦ୍ୱିତୀୟ ଥର ପାଇଁ ମୋଦି ତିନିଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । କାଲି ସେ ନୂଆଦିଲ୍ଲୀରୁ ଆସି ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାମାନଙ୍କୁ ଗୁରୁ ମନ୍ତ୍ର ଦେବେ । ସଂଗଠନ ଓ ଶାସନର ହିସାବ ନିକାଶ କରିବେ । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି ।
ମୋଦିଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବିମାନବନ୍ଦରରେ ମୋଦିଜୀଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧ୍ୱର୍ନା ଦିଆଯିବ । ଏକ ରାଲିରେ ମୋଦି ବିମାନବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବେ । ରାଜ୍ୟ କାର୍ଯ୍ୟାଳୟରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଆଗାମୀ ଦିନରେ ରାଜ୍ୟରେ ବିଜେପିର ସଂଗଠନ କିଭଳି ମଜବୁତ ହେବ ସେନେଇ ମଧ୍ୟ ମୋଦି ଦଳୀୟ ନେତାଙ୍କୁ ଟିପ୍ସ ଦେବେ । ଏହାଛଡ଼ା ଗତ ୫ ମାସର ସରକାରର କାର୍ଯ୍ୟାବଳୀ ନେଇ ମଧ୍ୟ ପଚାରି ବୁଝିବେ । ବିଭିନ୍ନ ଯୋଜନାର ସଫଳତା, ଆଗାମୀ ଦିନର ଯୋଜନା, ଫ୍ଲାଗସିପ୍ କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଆଦି ସମ୍ପର୍କରେ ମଧ୍ୟ ଗୁରୁମନ୍ତ୍ର ଦେବେବୋଲି ଜାଣିବାକୁ ମିଳିଛି ।