ଆଜି ସୁଭଦ୍ରା ଆକାଉଣ୍ଟକୁ ଆସିବ ଟଙ୍କାଏ, ୯ରେ ମିଳିବ ଦ୍ୱିତୀୟ ଦଫା ପ୍ରଥମ କିସ୍ତି
SUBHADRA JOJANA
ଆସନ୍ତା ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ଦଫାର ପ୍ରଥମ କିସ୍ତି ମିଳିବ । ସେଥିପାଇଁ ଆଜି ଆକାଉଣ୍ଟ ଯାଞ୍ଚ ପାଇଁ ୧ ଟଙ୍କା ଲେଖାଏଁ ପଠାଯିବ । ଯେଉଁମାନଙ୍କୁ ୧ ଟଙ୍କା ମିଳିବ, ସେମାନେ ୯ ତାରିଖରେ ବାକି ୪୯୯୯ ଟଙ୍କା ପାଇବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କର ପ୍ରଥମ କିସ୍ତି ଦିଆଯାଇଥିଲା । ତେବେ ଅନେକ ହିତାଧିକାରୀ ରହିଯାଇଥିଲେ । ଏଯାଏଁ ପ୍ରାୟ ୯୮ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି । କିନ୍ତୁ ଦ୍ୱିତୀୟ ଦଫାରେ କେତେ ଜଣଙ୍କୁ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତି ସମୀକ୍ଷା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ଦ୍ୱିତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ପ୍ରଥମ କିସ୍ତି ଅର୍ଥ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯିବା ସଂପର୍କରେ ବୈଷୟିକ ଟିମ୍ ସହିତ ଆଲୋଚନା କରାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା ପାଇଁ ଅକ୍ଟୋବର ୬ ତାରିଖ ସୁଦ୍ଧା ପ୍ରସ୍ତୁତି ସାରିବାକୁ କୁହାଯାଇଥିଲା । ଇତିମଧ୍ୟରେ ପ୍ରସ୍ତୁତି ସରିଥିବାବେଳେ ଆସନ୍ତାକାଲି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପାଇଁ ୧ ଟଙ୍କା ଲେଖାଏଁ ପଠାଯିବ । ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟଙ୍କାଏ ପହଁଚିବ ସେମାନଙ୍କୁ ଅକ୍ଟୋବର ୯ରେ ସୁଭଦ୍ରାର ପ୍ରଥମ କିସ୍ତି ବାବଦରେ ୪୯୯୯ ଟଙ୍କା ଯିବ । ସେହିପରି ଯେଉଁମାନଙ୍କର ଆକାଉଣ୍ଟକୁ ୧ ଟଙ୍କା ଯାଇନଥିବ ସେମାନଙ୍କୁ ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଧ୍ୟାନ କରି ସୁଭଦ୍ରା ଅର୍ଥ ଦିଆଯିବ ବୋଲି ଜାଣିବାକୁ ମିଳିଛି ।