‘ନବୀନ ଓ ପାଣ୍ଡିଆନଙ୍କ ପାଇଁ ମେଘନାଦ ପାଚେରୀ ଫାଟିଲା’

Naveen Patanaik, Odisha

‘ନବୀନ ଓ ପାଣ୍ଡିଆନଙ୍କ ପାଇଁ ମେଘନାଦ ପାଚେରୀ ଫାଟିଲା’

ଭୁବନେଶ୍ୱର : ମେଘନାଦ ପାଚେରୀରେ ଫାଟକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସିଧାସଳଖ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି  । ପରିକ୍ରମା ପ୍ରକଳ୍ପ କରି ମନ୍ଦିରକୁ ଭାଙ୍ଗିଦେଲେ ବୋଲି କହି ବର୍ଷିଛନ୍ତି  । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି  । ସେପଟେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ସିଧାସଳଖ ନବୀନ ଓ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି  । ପରିକ୍ରମା ପ୍ରକଳ୍ପ ବେଳେ ବଡ଼ ବଡ଼ ମେସିନ୍‌ ଲଗାଇବାରୁ ଆଜି ମେଘନାଦ ପାଚେରୀରେ ଫାଟ ସୃଷ୍ଟିହୋଇଛି ବୋଲି ସେ କହିଛନ୍ତି  ।

ଜଗୁନି କହିଛନ୍ତିଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ  । ଚାରିକଡ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ୱାରା ମନ୍ଦିର ଚାରିକଡୁ ସପୋର୍ଟ କମିଗଲା  । ଯେଉଁଥିପାଇଁ ପାଚେରୀ ଚାରିଆଡ ଫାଟିଗଲା । ଏହାକୁ ସଂପୂର୍ଣ୍ଣ ମରାମତି ନକଲେ ଏହା ପୂରା ଭାଙ୍ଗିଯିବ  । ବର୍ତ୍ତମାନ ସ୍ଥିତି ଯାହା ଏଏସ୍‌ଆଇ ଏହାକୁ ସ୍ୱତନ୍ତ୍ର ଭାବେ କାମ କରୁ  । ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ ବୋଲି ଜଗୁନି କହିଛନ୍ତି  ।

ବିଜେପି ମୁଖପାତ୍ର ଶ୍ରୀ ବିଶ୍ୱାଳ କହିଛନ୍ତିଯେ, କିଛି ଭୁଲ ଅଛି ଯାହାର କ୍ଷମା ନାହିଁ  । ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି  । ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ  ।

ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବଡ ବଡ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା  । ଏହା ମେଘନାଦ ପାଚେରୀ ଉପରେ ପ୍ରଭାବ ପକାଇଲା  । ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ ଲଗାଇ ଖୋଳାଗଲା  । ଆମସାର ଆକ୍ଟ ୧୯୫୮କୁ ନମାନି ଏଭଳି ବେଆଇନ କାମ କରାଯାଇଥିଲା  । ଏହି ନିୟମକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି  । ୯୦୦ ବର୍ଷର ଏକ ପ୍ରାଚୀନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା, ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚେରୀ ଉପରେ ପଡିଲାଣି ବୋଲି ସେ କହିଛନ୍ତି  ।