ଧନ୍ୟବାଦ ମୋଦିଜୀ ! ସାରା ଦେଶରେ ପାଳିତ ହେବ ମହତାବ ଜୟନ୍ତୀ

harkrushna mahatab

ଧନ୍ୟବାଦ ମୋଦିଜୀ ! ସାରା ଦେଶରେ ପାଳିତ ହେବ ମହତାବ ଜୟନ୍ତୀ

ଭୁବନେଶ୍ୱର : ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ଜାତୀୟସ୍ତରରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି  ।

‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତିଯେ, କେନ୍ଦ୍ର ସରକାର ମହତାବଙ୍କ ଜୟନ୍ତୀଙ୍କୁ ଜାତୀୟସ୍ତରରେ ପାଳିତ କରିବା ପାଇଁ ନିଷ୍ପତ୍ତି ନେବା ଗୌରବର ବିଷୟ  । ଓଡ଼ିଶାର ଜଣେ ଜାତୀୟତାବାଦୀ ନେତାଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳୀ  । ଏହା ଓଡ଼ିଆ ଅସ୍ମିତାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି  । 

ସୂଚନାଯୋଗ୍ୟଯେ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ  । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି  । ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ୱରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ  ।

ଡଃ ମହତାବଙ୍କ ଉପରେ ଏକ ବାୟୋପିକ୍‌ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡିକରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି  । ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ । ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ  ।