କାହିଁକି ନବୀନ କହିଲେ, ‘୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା’
Naveen Patanaik, Odisha

ଭୁବନେଶ୍ୱର : ବିନା କାରଣରେ ବିଜେପି ସରକାର ଆଦିବାସୀ ଭାଇଭଉଣୀଙ୍କ ଚାଉଳ ବନ୍ଦ କରିଦେଇଛନ୍ତି । ଲୋକେ ବାଧ୍ୟହୋଇ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରୁଛନ୍ତି । ଆମ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।
ଏହାର ଜବାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତିଯେ, ନବୀନ ବାବୁ ଲେଖା ହୋଇଥିବା କାଗଜ ପଢୁଥିଲେ । ନବ ଦାସଙ୍କ ହତ୍ୟା, କୁନ୍ଦୁଲି, ବେବିନା କ’ଣ ତପସ୍ୟା ଥିଲା । ତାଙ୍କ ଅମଳରେ ବି ଆମ୍ବ ଟାକୁଆ ମୃତ୍ୟୁ ହୋଇଥିଲା, ସେତେବେଳେ କି ତପସ୍ୟା କରୁଥିଲେ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡ଼ି ଛାତ୍ରନବୀନ କହିଥିଲେଯେ, ଅକ୍ଟୋବରରୁ ଆରମ୍ଭ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ସ୍ୱତଃସ୍ପୁର୍ତ୍ତ ଭାବରେ ବହୁ ଲୋକ ବିଜେଡ଼ିରେ ସାମିଲ ହୋଇଛନ୍ତି । ଆମ ଛାତ୍ର ସଂଗଠନ ଏହାର ନେତୃତ୍ୱ ନେଉଥିବାରୁ ସେ ଖୁସି ଜାହିର କରିଥିଲେ । ଆମ ଛାତ୍ର ଓ ଯୁବକମାନେ ହେଉଛନ୍ତି ମୋ ଦଳର ଭବିଷ୍ୟତ । ମୁଁ ସବୁବେଳେ କହି ଆସିଛି ଏବଂ ଆଜି ମଧ୍ୟ ଅନୁରୋଧ କରୁଛି ଯେ ଆପଣମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତୁ ଓ ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ ।
ସଭ୍ୟ ସଂଗ୍ରହ ଅଭିଯାନ, ଗୋଟେ ରାଜନୈତିକ ଦଳର, ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ । ପ୍ରତି ସଭ୍ୟ ହେଉଛନ୍ତି ଦଳର ଗୋଟିଏ ଗୋଟିଏ ସ୍ତମ୍ଭ । ବିଜେଡ଼ି ସରକାର ସମୟରେ ବହୁତ ଭଲ କାମ ହୋଇଛି । ଆମ ସରକାରଙ୍କ ଯୋଜନା, ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ଆମର ଲକ୍ଷ୍ୟ ନଥିଲା ।
ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ବିଭିନ୍ନ ଭଲ ଭଲ ଯୋଜନାକୁ ବନ୍ଦ କରି ଦିଆଯାଇଥିବାରୁ ପିଲାମାନଙ୍କ ଭିତରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି ହୋଇଛି । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇଭଉଣୀମାନଙ୍କ ଚାଉଳକୁ ବିଜେପି ସରକାର ବନ୍ଦ କରିଦେଇଛନ୍ତି । ତେଣୁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡୁଛି । ବହୁତ ଦୁଃଖର କଥା ଏଥିପାଇଁ ଦୁଇ ଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଆମର ବାର ବର୍ଷର ତପସ୍ୟାକୁ ଏମାନେ ଶୁଖୁଆ ପୋଡାରେ ସାରିଦେଲେ । ବିଜେଡି ସରକାର ସମୟରେ ଏନଏଫଏସଏରୁ ବାଦ ପଡ଼ିଥିବା ସବୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା । ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।
ବିଜୁ ଜନତା ଦଳ, ଓଡିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ, ଆମେ ଅଧିକ ଭୋଟ ପାଇଛୁ । ବିଜୁ ଜନତା ଦଳ, ଓଡିଶାବାସୀଙ୍କ, ହୃଦୟରେ ଅଛି । ମୋର ଅନୁରୋଧ ଆପଣମାନେ ଓଡିଆ ସ୍ୱାଭିମାନର ସୁରକ୍ଷା ତଥା ଓଡିଆ ପରିଚୟକୁ ଉଜ୍ଜଳ କରିବା ପାଇଁ କାମ ଜାରି ରଖନ୍ତୁ ।