ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ବିଏମସି ଅତିରିକ୍ତ କମିଶନର

 ଭୁବନେଶ୍ୱର : "ଅଳିଆ ଗଦା ହଟାଅ ଓ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ" ଓ ବିଏମସି ଅଧିକାରୀଙ୍କ ଏକ ଟିମ ଗୁରୁବାର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି  । ବିଏମସି  ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଶ୍ରୀନିବାସ ପଣ୍ଡା, ରାମଚନ୍ଦ୍ର ମିଶ୍ର ଓ ଅଭିଯାନ କମିଟିର ସଦସ୍ୟ ତଥା ଭୁବନେଶ୍ୱର ଉର୍ଣ୍ଣୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ଦିଲୀପ ଦାସଶର୍ମା, ପ୍ରଦୀପ ପରିଡା ଓ ଅନ୍ୟାନ୍ୟ ୧୨ ପ୍ରତିନିଧି ମିଳିତ ଭାବେ ଗଡ଼କଣ ଅଲିଅଗଦା ସହ ପ୍ରସ୍ତାବିତ ପଳାଶୁଣୀ ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ  ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟର ସର୍ବେକ୍ଷଣ  କରିଥିଲେ  । ଏଥିସହିତ ସୈନିକସ୍କୁଲ ଡମ୍ପିଙ୍ଗୟାର୍ଡÿରେ କିପରି ବିଭିନ୍ନ କିସମର ଅଳିଆ ପ୍ରକ୍ରିୟାକରଣ ହେଉଛି ସେ ସମ୍ପର୍କରେ ବିଏମସି ଅଧିକାରୀ ଅବଗତ କରାଇଥିଲେ  । ଅତିରିକ୍ତ କମିଶନର ଆଗାମୀ ଜୁନ ମାସ ୧୨ ତାରିଖ ସୁଦ୍ଧା ସୁକିଲା ଅଳିଆ ଆଉ ଗଡ଼କଣ ନଯାଇ ପଳାଶୁଣୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରୋସେସିଂ କରାଯିବ ବୋଲି କହିଥିଲେ  । ପଳାଶୁଣୀର ଶୁଖିଲା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯେହେତୁ ପୁରା ପ୍ରସ୍ତୁତ ହୋଇଯାଇଛି ତେଣୁ ତାକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଅଭିଯାନ କର୍ମକର୍ତ୍ତା କହିବା ସହ ସମ୍ପୂର୍ଣ୍ଣ ରିପୋର୍ଟ ସମୟରେ ଏହା ପ୍ରଦାନ କରିବାକୁ କୁହାଯାଇଥିଲା  । ସେହିପରି ୧୮ ମାସ ଭିତରେ ମେହେରପଲ୍ଲୀ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଓଦା ଅଳିଆ ସବୁ ପ୍ରୋସେସିଂ କରାଯିବ ବୋଲି ଆଜି ମେହେରପଲ୍ଲୀ ଓଦା ଅଳିଆ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥିତି ଅନୁଧ୍ୟାନ ବେଳେ ଆଲୋଚନା ହୋଇଥିଲା  । ବର୍ତ୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ସବୁ ନିର୍ମାଣ କାର୍ଯ୍ୟ କରାଯାଉଛି, ତେଣୁ ବି.ଏମ.ସି ତ୍ୱରିତ ପଦକ୍ଷେପ ନେଲେ ଛ ରୁ ସାତ ମାସ ଭିତରେ ତାକୁ କାର୍ଯ୍ୟକ୍ଷମ ମଧ୍ୟ କରାଯାଇ ଅଳିଆ ଯନ୍ତ୍ରଣା ଜନିତ ଦୁର୍ଗନ୍ଧରୁ ଭୁବନେଶ୍ୱରବାସୀଙ୍କୁ ମୁକ୍ତି ପ୍ରଦାନ କରାଯାଇପାରେ ବୋଲି ଗସ୍ତ ସମୟରେ ଆଲୋଚନା ହୋଇଥିଲା  । ଗଡ଼କଣ ସୈନିକ ସ୍କୁଲ ଠାରେ ଥିବା ଭୁବନେଶ୍ୱର ମହାନଗର ନିଗମର ଅସ୍ଥାୟୀ ଅଳିଆ ଗଦାକୁ ୩୫୦ ମେଟ୍ରିକ ଟନ ଅଳିଆ ପ୍ରତିଦିନ ପଡୁଛି  । ପୂର୍ବରୁ ସେଠାରେ ଗଛିତ ଅଳିଆ ଏପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ଉଠାଇ ଯାଇ ପାରିନି  । ପ୍ରାୟ ଦୁଇ ମାସ ହେଲା ସିମେଣ୍ଟ ପ୍ଲାଣ୍ଟକୁ ଯେଉଁ ଅଳିଆ ସେଠାରୁ ପଠା ଯାଉଥିଲା ତାହା ଆଉ ପଠା ଯାଉନି  । ସେଥିପାଇଁ ପଦକ୍ଷେପ ନେଇ ଅଳିଆ ଉଠେଇବାକୁ ମଧ୍ୟ ଆଲୋଚନା ହୋଇଥିଲା  ।
ବିଏମସି ସ୍ଥିତି ଅନୁଧ୍ୟାନ ପରେ ଅଭିଯାନ ତରଫରୁ ୬ଟି ଦାବୀ କରାଯାଇଛି ସେଥିମଧ୍ୟରେ ରହିଛି ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ୬୭ ୱାର୍ଡରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ୟବସ୍ଥା ସ୍ଥାପିତ ହେଉ  । ଏବେ ୩୭ କାଯ୍ୟକ୍ଷମ ହୋଇଥିବାବେଳେ ବାକି ୨୯ ଟାରେ ଜଲଦି କାର୍ଯ୍ୟକ୍ଷମ କରିବାକୁ ସଦସ୍ୟ ଦାବୀ କରିଛନ୍ତି   । ପଳାଶୁଣୀ ଠାରେ ସ୍ଥାପିତ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ଲାଣ୍ଟ ଦୁଇଦିନ ଭିତରେ କାର୍ଯ୍ୟକାରୀ ହେଉ  । ପୂର୍ବରୁ ଗଡ଼କଣ ଠାରେ ଗଦା ହୋଇଥିବା ଅଳିଆ ସାତଦିନ ଭିତରେ ଖାଲି କରାଯାଉ  । ସୈନିକ ସ୍କୁଲ ପାଖରେ ଥିବା ଅଳିଆ ଗଦା ପାଖାପାଖି ଅଞ୍ଚଳରେ ମାଟି ପକେଇ ଗଛ ଲଗାଇ ବନୀକରଣ କରାଯାଉ  । ଧୀରୀକୁଟି ବସ୍ତି ପାଖରେ ଥିବା ଜାଗାକୁ ମାଟି ପକେଇ ସମାନ କରିବା ସହ ସେଠାରେ ତୁରନ୍ତ ଗଛ ଲଗାଯାଉ  । ଗଡ଼କଣରେ ଓଦା ଅଳିଆକୁ ଟ୍ରିଟମେଣ୍ଟ କରିବା ସମୟରେ ତାର ଦୁର୍ଗନ୍ଧ ବାୟୁକୁ ରୋକିବାକୁ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରାଯାଉ  । ଆଜିର ଗସ୍ତ ସମୟରେ ଆବାହକ ଭିକ୍ଷ୍ୟାକାରୀ ତ୍ରିପାଠୀ, ପ୍ରିତିଶ ବାସା, ଅଶୋକ ପାଇକରାୟ, ସିଦେ୍ଧଶ୍ୱର ନାୟକ, ପ୍ରସନ୍ନ ବିଷୋୟୀ, ଦିଲୀପ ଦାଶଶର୍ମା, ଚିନ୍ତାମଣି ବାରିକ, ଆଶୁତୋଷ ମିଶ୍ର, ଚିନ୍ତାମଣି ବାରିକ, ପ୍ରତାପ ସାହୁ ଓ ରଶ୍ମିରଂଜନ ପରିଡା ପ୍ରଭୃତି ଉପସ୍ଥିତ ଥିଲେ  ।