ପୂର୍ବତନ ବିଧାୟକଙ୍କ ବିସ୍ଫୋରକ ବୟାନ୍‌

Naveen Patanaik, Odisha

ପୂର୍ବତନ ବିଧାୟକଙ୍କ ବିସ୍ଫୋରକ ବୟାନ୍‌

‘ନବୀନଙ୍କ ପ୍ରତିନିଧି ବୁଲିବାରୁ ଦଳ ହାରିଲା’

ଭୁବନେଶ୍ୱର : ଧିରେଧିରେ ବିଜେଡ଼ି ନେତାମାନେ ତୁଣ୍ଡି ଖୋଲି ମୁହଁ ଖୋଲିବା ଆରମ୍ଭ କରିଛନ୍ତି  । ଦଳର ଅପ୍ରତ୍ୟାଶିତ ପରାଜୟରେ ସ୍ତମ୍ଭୀଭୂତ ହୋଇ ସେମାନେ ବେଶ କିଛିଦିନ ନୀରବରେ ବସିଥିଲେ  । କିନ୍ତୁ ବରିଷ୍ଠ ନେତାମାନେ ଗଣମାଧ୍ୟମରେ ବୟାନବାଜି ଆରମ୍ଭ କରିଦେଇଥିବାରୁ ଏବେ ବିଜେଡ଼ିରେ ତୁଣ୍ଡ ଖୋଲା ଧାରା ଆରମ୍ଭ ହୋଇଯାଇଛି  ।

ବିଜେଡି ନେତା ତଥା ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଦଳର ପରାଜୟ ନିମନ୍ତେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି  । ସୁଶାନ୍ତ କହିଛନ୍ତିଯେ, ଦଳ ଟିକେ ଭୁଲ୍‌ ବାଟରେ ପରିଚାଳିତ ହୋଇଥିଲା  । କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ  । ଏବେ ଦଳ ଠିକ୍‌ ରାସ୍ତାକୁ ଆସି ସାରିଲାଣି  । ଦଳକୁ ସାଧାରଣତଃ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ  । ଯାହାଫଳରେ ଦଳ ପରାଜିତ ବରଣ କରିଥିଲା  । ଦଳର ସଭାପତି ନିଜେ ସମସ୍ତ ସଭାସମିତିରେ ଯୋଗ ଦେବା ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦେବା ଯୋଗୁଁ ଦଳର କିଛି କର୍ମୀ ଓ ବ୍ୟକ୍ତି ଅସନ୍ତୁଷ୍ଟ ହୋଇଥିଲେ  । ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ  । ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି ବୋଲି ସୁଶାନ୍ତ କହିଛନ୍ତି  । 

ସେ କହିଛନ୍ତି, ବରିଷ୍ଠ ନେତାମାନଙ୍କୁ ଟିକେ ଉପେକ୍ଷା କରାଯାଇଥିଲା ବୋଲି ଆମେ ବିଶ୍ୱାସ କରୁଥିଲୁ  । କିନ୍ତୁ ବାସ୍ତବରେ ସେମିତି କିଛି ହୋଇନାହିଁ  । ଦଳ ଯେହେତୁ ଲଗାତାର ୨୪ ବର୍ଷ ଶାସନରେ ରହିସାରିଥିଲା, ତେଣୁ ଲୋକେ ମନ ପରିବର୍ତ୍ତନ କରିଥିଲେ  । ସେମାନେ ନୂତନତ୍ୱ ଚାହୁଁଥିଲେ  । ସେଥିପାଇଁ ମଧ୍ୟ ବିଜେଡିର କିଛି କ୍ଷତି ହୋଇଛି । ବରିଷ୍ଠ ନେତା ଦଳରେ ଅଛନ୍ତି । ଦଳର ପରାଜୟ ପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେବି ଏବେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଗୋଟିଏ କମିଟିରେ ରଖାଯାଇଛି  ।

ସେହିପରି ବିଜେଡିରେ ଅନ୍ତଃକନ୍ଦଳ ନାହିଁ  । ବିଜେଡି ସଂଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ରହିବ  । ଦଳ ଆଗାମୀ ନିର୍ବାଚନରେ ୧୨୦ରୁ ଅଧିକ ସିଟ୍‌ ଜିତି ପୁଣି ସରକାର କରିବ  । ଦଳ ସକ୍ରିୟ ଅଛି  । ଜନସାଧାରଣ ମଧ୍ୟ ଜାଣି ସାରିଲେଣିଯେ, ବିଜେପି ସରକାର ମିଥ୍ୟାବାଦୀ ସରକାର  । ବିଜେପି ସରକାର ଆଦୌ ସତ୍ୟ କଥା କୁହନ୍ତି ନାହିଁ  । ବିଜେପି ଯାହା କହେ, ତାକୁ କାର୍ଯ୍ୟରେ ପରିଣତ କରେ ନାହିଁ ବୋଲି ସୁଶାନ୍ତ କହିଛନ୍ତି  ।