ନବୀନଙ୍କୁ ହରାଇବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ?
Naveen Patanaik, Odisha

ଭିକେ ପାଣ୍ଡିଆନ୍, ଡିଏସ କୁଟ୍ଟେ ଓ ଆଶିଷ ସିଂ । ବିଜେଡ଼ି ସରକାର ଅମଳରେ ଏହି ତିନି ନେତା ଉଭୟ ସରକାର ଓ ଦଳ ଚଳାଉଥିଲେ । ଟିକେଟ ଆବଣ୍ଟନରୁ ନେଇ ଦଳୀୟ ପ୍ରଚାର ପ୍ରସାର, ଟଙ୍କା ବଣ୍ଟା ସବୁ କଥା ଏହି ତିନି ନେତା ହିଁ ବୁଝୁଥିଲେ । ନିର୍ବାଚନ ବେଳେ ଡିଏସ କୁଟ୍ଟେ ଓ ଆଶିଷ ସିଂ ଦଳୀୟ ରାଜନୀତି କରୁଥିଲେ ବୋଲି ଅଭିଯୋଗ ଆସିଥିଲା । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା । ସେତେବେଳେ ବିଜେପିର ତୁଙ୍ଗ ନେତାମାନେ ଗଳା ଫଟାଇ ଚିତ୍କାର କରୁଥିଲେ । ଆମ ସରକାର ଆସିଲେ ଆଗ ପାଣ୍ଡିଆନ୍, କୁଟ୍ଟେ ଓ ଆଶିଷ ସିଂଙ୍କ କଥା ବୁଝିବୁ । ସାମାଜିକ ଗଣମାଧ୍ୟମରେ ବିଜେପି ନେତା ଓ କର୍ମୀମାନେ ବି ଡିଅାଁଡେଇଁ କରୁଥିଲେ । ନୂଆ ସରକାର ଆସିବା ପରେ କୁଟ୍ଟେ ଓ ଆଶିଷଙ୍କୁ କିଛିଦିନ ପନିସମେଣ୍ଟ ପଦବୀ ଦିଆଗଲା । ଏମିତିକି ସୁଜାତା କାର୍ତ୍ତିକେୟନଙ୍କ ଛୁଟିକୁ ବି ବଢ଼ାଗଲା ନାହିଁ । ହେଲେ ଏବେ ସବୁ କିଛି ବଦଳିଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଶିଷ ସିଂ ଓ ଡିଏସ କୁଟ୍ଟେଙ୍କୁ ପ୍ରାଇଜ୍ ଦେଇଛନ୍ତି । ଆଶିଷ ସିଂଙ୍କୁ ଆଇଟିବିପି ଆଇଜି କରାଯାଇଥିବାବେଳେ କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଅର୍ଥାତ ତାଙ୍କର ଆଉ ରାଜ୍ୟ ସରକାରଙ୍କ ସହ ନେଣଦେଣ ନାହିଁ । ଉଭୟଙ୍କୁ ଦୀର୍ଘମିଆଦୀ ନିଯୁକ୍ତି ମିଳିଯାଇଛି । ଆଗକୁ ସୁଜାତା ବି କେନ୍ଦ୍ରୀୟ ଡେପୁଟେସନରେ ଯାଇ ଭଲ ପଦବୀରେ ଥଇଥାନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏହି କଥା ଏବେ ବିଜେଡ଼ି ଓ ବିଜେପି ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । ନବୀନଙ୍କ ଅପ୍ରତ୍ୟାଶିତ ପରାଜୟ ପଛରେ ଏହି ନେତାଙ୍କ ହାତ ନାହିଁ ତ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । କାହିଁକିନା ତିନି ଅଫିସରଙ୍କ ପ୍ରତି ବିଜେପି ସରକାରଙ୍କ ଦରଦ ନିଶ୍ଚିତ ଭାବେ ଭିନ୍ନ ବାର୍ତ୍ତା ଦେଇଛି । ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ସହ ପାଣ୍ଡିଆନଙ୍କ ରୁଦ୍ଧଦ୍ୱାର ଆଲୋଚନା ଓ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚା ରାଜନୀତିକ ପାଣିପାଗକୁ ନୂଆ ମୋଡ଼ ଦେଇଥିଲା । ଅର୍ଥାତ୍ କେଉଁଠିନା କେଉଁଠି ନବୀନଙ୍କୁ ହରାଇବା ପାଇଁ ଏହି ତିନି ଅଫିସର ସ୍ଳିପରସେଲ୍ ଭାବେ କାମ କରୁଥିଲେ । ଯାହାର ପରିଣାମ ବିଜେଡ଼ିକୁ ଭୋଗିବାକୁ ପଡ଼ିସାରିଛି । ଏବେ ତିନିହେଁ ନିଜ ନିଜର ବାଟ ବାହାର କରି ଖୁସିରେ ଥିବାବେଳେ ବିଜେଡ଼ି ଓ ବିଜେପି ନେତାମାନେ ବି ଚକିତ ହୋଇଯାଇଛନ୍ତି । ପ୍ରକୃତରେ ଖେଳ ବିଜେଡ଼ି ବନାମ ବିଜେପି ନେତା କି କର୍ମୀଙ୍କ ଭିତରେ ହେଉନଥିଲା, ବରଂ ଖେଳ ଉଭୟ ଦଳର ତୁଙ୍ଗ ନେତାଙ୍କ ସଲାସୁତରାରେ ହେଉଥିବା ସ୍ପଷ୍ଟ ହୋଇଯାଇଛି ।