ଛକରେ ବିଜେପି କରିବ କ୍ୟାମ୍ପ
Odisha BJP
ଭୁବନେଶ୍ୱର : ଚଳିତ ବର୍ଷ ୧ କୋଟି ସଭ୍ୟ ସଂଗ୍ରହ ପାଇଁ ବିଜେପି ଦିନରାତି ଏକ କରିଦେଇଛି । ଏବେବି ଟାର୍ଗେଟର ୩୦% ପୂରଣ ହୋଇନଥିବାରୁ ଦଳ ସଭ୍ୟ ସଂଗ୍ରହ ପାଇଁ ନୂଆ ତରିକା ଆପଣାଇବାକୁ ଯାଉଛି । ଗୋଟିଏ ପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଂସଦ ଓ ବିଧାୟକମାନଙ୍କୁ ଟାର୍ଗେଟ୍ ଦେଇଥିବାବେଳେ ଅପରପକ୍ଷରେ ବିଜେପି ନେତାମାନଙ୍କୁ ବିଭିନ୍ନ ଛକରେ କ୍ୟାମ୍ପ ଖୋଲିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନିର୍ଦ୍ଦେଶ ଦେଇଛନ୍ତି ।
ଦଳର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସାମାଜିକ ସଂଗଠନ, କ୍ଲବ, ମହାବିଦ୍ୟାଳୟ, ରେଳ ଓ ବସ ଷ୍ଟାଣ୍ଡ, ପୂଜା ମଣ୍ଡପ ପ୍ରମୁଖ ଛକମାନଙ୍କରେ କ୍ୟାମ୍ପ କରି ଲୋକମାନଙ୍କୁ ସଦସ୍ୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତ ଥର ସଦସ୍ୟତା ଅଭିଯାନକୁ ୨ଟି ପର୍ଯ୍ୟାୟରେ କରାଯାଉଛି । ଆସନ୍ତାକାଲି ଠାରୁ ଦ୍ୱିତୀୟ ଦଫା ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ରବି ନାରାୟଣ ନାଏକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଦସ୍ୟତା ଅଭିଯାନ ଦାୟିତ୍ୱରେ ଥିବା ସମସ୍ତ ପଦାଧିକାରୀ, ସାଂସଦ, ବିଧାୟକ, ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠର ପଦାଧିକାରୀମାନେ ଆଜିର ବୈଠକରେ ଉପସ୍ଥିତ ଥିଲେ । ବୁଥ୍ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ବିଭିନ୍ନ ସାମାଜିକ ସଂଗଠନ, କ୍ଲବ, ମହାବିଦ୍ୟାଳୟ, ରେଳ ଓ ବସ ଷ୍ଟାଣ୍ଡ, ପୂଜା ମଣ୍ଡପ, ପ୍ରମୁଖ ଛକମାନଙ୍କରେ କ୍ୟାମ୍ପ କରି ଲୋକମାନଙ୍କୁ ବିଜେପିର ସଦସ୍ୟତା କରିବେ ।
ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନ ସକାଶେ ବିଜେପି ସହିତ ଯୋଡି ହେବା ପାଇଁ ସାଧାରଣ ଜନତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।