ଆକ୍ସନ ମୁଡ଼ରେ ନବୀନ, ବୁମେରାଂ ହେବନି ତ ?

Naveen Patanaik, Odisha

ଆକ୍ସନ ମୁଡ଼ରେ ନବୀନ, ବୁମେରାଂ ହେବନି ତ ?

ଶଙ୍ଖରେ କେତେ ଫାଟ ? ପଦଯାତ୍ରା ବେଳେ ପଦାରେ ପଡ଼ିବ

ଭୁବନେଶ୍ୱର : ଶଙ୍ଖ ଭବନରେ ଏବେ କଳି ମଞ୍ଜି ବୁଣା ହୋଇଛି  । ପ୍ରତିଦିନ କିଛି ନା କିଛି କେଁ କଟର ଦେଖିବାକୁ ମିଳୁଛି  । ଆଗଭଳି ଆଉ ନେତାମାନେ ବୋଲ ମାନୁନାହାନ୍ତି  । ଭୁବନେଶ୍ୱରରୁ ନେଇ ଭଦ୍ରକ ଯାଏଁ ଶଙ୍ଖ କଳି ଏବେ ଚର୍ଚ୍ଚା ସୃଷ୍ଟିକରିଛି  । ଗତ ତିନିମାସ ଧରି ବିଜେଡ଼ିରେ ଏଭଳି ବାଦିପାଲା ଚାଲିଥିଲେବି ନବୀନ ନିଦାବିଷ୍ଣୁ ସାଜିଥିଲେ  । ଏବେ କିନ୍ତୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଉଥିବାରୁ ବିଜେଡ଼ି ସୁପ୍ରିମୋ ଆକ୍ସନ ମୁଡକୁ ଆସିଛନ୍ତି  । ନବୀନଙ୍କ ଏହି ଧମକ ବା ଚେତାବନୀ ଦଳକୁ ମଜବୁତ କରିବ ନା ଏହା ବିଜେଡ଼ି ପାଇଁ ବୁମେରାଂ ହେବ ତାହାକୁ ନେଇ ରାଜନୀତିକ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । 

ଶଙ୍ଖ ଭବନରେ ଅମରେଶ ଜେନା ଓ ବିରଞ୍ଚି ମହାସୁପକାର ବନାମ ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କ କଳିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା  । କର୍ପୋରେଟରମାନେ କିଭଳି ଅମରେଶ ଓ ବିରଞ୍ôଚଙ୍କୁ ବିରୋଧ କଲେ ତାହା ସମସ୍ତେ ଜାଣିଛନ୍ତି  । ଗୋଟିଏ ପଟେ ଏହାକୁ ନେଇ ଅମରେଶ ଓ ବିରଞ୍ଚି ନାଁ ନନେଇ ଅନନ୍ତ ଓ ଅଶୋକଙ୍କୁ ଟାର୍ଗେଟ୍‌ କରିଥିଲେ  । ଯାହାକୁ ନେଇ କ୍ଷୁବ୍ଧ ଅନନ୍ତ ଓ ଅଶୋକ ଉଭୟ କର୍ପୋରେଟରଙ୍କୁ ଦଳରୁ ନିଲମ୍ବିତ କରିବାକୁ ଦାବି କରିଥିଲେ  । ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି  । ଦୁଇ କର୍ପୋରେଟରଙ୍କ ବ୍ୟତୀତ ଯୁବ ନେତା ରାଜେଶ ପାତ୍ର ଓ ଛାତ୍ର ନେତା ବିବେକ ସ୍ୱାଇଁଙ୍କୁ ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନୋଟିସ୍‌ ଦେଇଛନ୍ତି  । ପନ୍ଦର ଦିନ ଭିତରେ ସେମାନଙ୍କ ଠାରୁ କାରଣଦର୍ଶାଅ ନୋଟିସ ସଂକ୍ରାନ୍ତୀୟ ରିପୋର୍ଟ ତଲବ ହୋଇଛି  । ଅତଏବ ଏହି ସବୁ ନେତାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ନବୀନ ମାନସିକସ୍ତରରେ ପ୍ରସ୍ତୁତ ହୋଇଯାଇଛନ୍ତି  ।

ଅନେକ ଦିନ ନୀରବ ରହିବା ପରେ ନବୀନ ଏଭଳି ବଡ଼ ପଦକ୍ଷେପ ନେଇ ଅନ୍ୟ ଅସନ୍ତୁଷ୍ଟ ନେତାଙ୍କୁ ଚେତାବନୀ ଦେଇଛନ୍ତି  । ଯାହାଫଳରେ ଅନ୍ୟ ଜିଲ୍ଲାର ବିଜେଡ଼ି କଳିକୁ ରୋକା ଯାଇପାରିବ ବୋଲି ଦଳ ଅନୁମାନ କରୁଛି  । କିନ୍ତୁ ଏହା ବୁମେରାଂ ବି ହୋଇପାରେ  । ପୂର୍ବରୁ ନବୀନଙ୍କ ନିର୍ଦ୍ଦେଶକୁ ବିଜେଡ଼ି ନେତାମାନେ ଶିରୋଧାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ  । କାହିଁକିନା ଅମାନିଆ ନେତାଙ୍କୁ କଳ ବଳ କୌଶଳ ଲଗାଇ ସାଇଜ୍‌ କରିବାର କଳା ବିଜେଡ଼ି ସୁପ୍ରିମୋଙ୍କୁ ଭଲଭାବେ ଜଣା  । ଏବେ ଆଉ ସେହି ଡର ନାହିଁ  । ବିଜେପି ଏବେ ସରକାରକୁ ଆସିଛି । କେନ୍ଦ୍ରରେ ବି ବିଜେପିର ସରକାର ଅଛି  । ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବି ରାଜ୍ୟରେ ରହିଛି  । ତେଣୁ ଡରାଣ ଦେଖାଇ ବିଜେଡ଼ି ଅମାନିଆଙ୍କ ମୁହଁରେ ତୁଣ୍ଡି ବାନ୍ଧିଲେ ତାହା ବିସ୍ଫୋରଣର ରୂପ ନେଇପାରେ  । 
ରାଜ୍ୟର ଅନେକ ନିର୍ବାଚନମଣ୍ଡଳୀରେ ଏବେ ବିଜେଡ଼ିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି  । ପୂର୍ବରୁ ବିଧାୟକଙ୍କ ବିରୋଧୀଙ୍କୁ ଦଳ ପଦବୀ ଅବା ନିଗମ ଆଦି ଦେଇ ଥଇଥାନ କରିପାରୁଥିଲା  । ଏବେ ସେ ସୁଯୋଗ ଆଉ ନାହିଁ  । ଚଳିତ ଥର ବିଧାୟକ ହୋଇଥିବା ଅନେକ ନେତା ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାନେ ଦେବାର ସୁଯୋଗ ଖୋଜୁଛନ୍ତି  । ଯାହାକୁ ନେଇ ବିଭିନ୍ନ ଅଞ୍ଚଳରେ କେଁ କଟର ଆରମ୍ଭ ହୋଇଗଲାଣି  । ନେତାମାନଙ୍କୁ ପ୍ରଲୋଭିତ କରି ପାଖରେ ରଖିବାର ସୁଯୋଗ ନବୀନଙ୍କ ପାଖରେ ନଥିବାରୁ ସେମାନେ ଏବେ ସ୍ୱାଧୀନ ଭାବେ ନିଜର କାମ ଆରମ୍ଭ କରିଦେଲେଣି  । ଅନେକ ନେତା ବିଜେପି ସହ ଯୋଗସୂତ୍ରରେ ବି ଅଛନ୍ତି  । 

ଆସନ୍ତା ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ ହେବ  । ଏହି ପଦଯାତ୍ରା ବେଳେ ବିଜେଡ଼ି କଳି ଉଗ୍ରରୂପ ନେବାର ସମ୍ଭାବନା ରହିଛି  । ବିଧାୟକମାନେ ନିଜ ନିଜ ସମର୍ଥକଙ୍କୁ ନେଇ ପଦଯାତ୍ରାର ଆୟୋଜନ କରିବାକୁ ଯୋଜନା କରିଛନ୍ତି  । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଶ୍ୱାସକୁ ନେଇନାହାନ୍ତି  । ତେଣୁ ସେମାନେ ବି ସମାନ୍ତରାଳ ପଦଯାତ୍ରା କରିବାକୁ ଯୋଜନା କରିଛନ୍ତି  । ସେହିପରି ବିଜେଡ଼ି ଏଯାଏଁ ଟିମ୍‌ ଗଢ଼ି ପାରିନଥିବାରୁ ଏହାର ନକରାତ୍ମକ ବାର୍ତ୍ତା ତଳସ୍ତରକୁ ଯାଇଛି  । କଂଗ୍ରେସ ଭଳି ବିଜେଡ଼ି ବି ଏବେ ଦ୍ୱନ୍ଦ୍ୱରେ ଅଛି ବୋଲି କୁହାଯାଉଛି  । ଚବିଶ ନିର୍ବାଚନ ପରେପରେ ଭିକେ ପାଣ୍ଡିଆନ୍‌ ସନ୍ନ୍ୟାସୀ ହୋଇ ଭିତିରିଆ ଗୋଟି ଚଳାଉଛନ୍ତି  । ସେପଟେ ପ୍ରଣବ ପ୍ରକାଶ ଦାସ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରୁଛନ୍ତି  । ତାଙ୍କୁ କୌଣସି କମିଟିରେ ନିଆଯାଇନଥିବାରୁ ବବିଙ୍କ ସମର୍ଥକମାନେ କ୍ଷୁବ୍ଧ ଅଛନ୍ତି  । ପଦଯାତ୍ରା ଓ ସଭ୍ୟ ସଂଗ୍ରହ ବେଳେ ବିଜେଡ଼ିର ଗତି କୁଆଡେ଼ ଯିବ, ତାହା ଉପରେ ହିଁ ଦଳର ସ୍ଥାୟୀତ୍ୱ ଓ ଭବିଷ୍ୟତ ନିର୍ଭର କରିବ  ।