ଦ୍ୱନ୍ଦ୍ୱ ବଢାଉଛି ମନ୍ତ୍ରୀଙ୍କ କଥା

Odisha Govt, Odisha Minister

ଦ୍ୱନ୍ଦ୍ୱ ବଢାଉଛି ମନ୍ତ୍ରୀଙ୍କ କଥା

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : ଜୁନ୍‌ ୧୨ରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଲେ  । ଇତିମଧ୍ୟରେ ୧୫ ଦିନ ବିତିଗଲାଣି  । କିନ୍ତୁ ଏଯାଏଁ ଅନେକ ମନ୍ତ୍ରୀ ପାୱାର କରିଡ଼ର ଚାମ୍ବରକୁ ଯାଇନାହାନ୍ତି  । ସକାଳୁ ବିଳମ୍ବିତ ରାତି ଯାଏଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଅତିଥିଭବନରେ ସମୀକ୍ଷା ଓ ଜନଶୁଣାଣୀ କରୁଛନ୍ତି  । ନବାଗତ ଓ ଯୁବମନ୍ତ୍ରୀମାନେ ବିଭାଗୀୟ ସମୀକ୍ଷା କରୁଛନ୍ତି  । କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କରାଯାଉଛି  । କିନ୍ତୁ ସରକାରୀସ୍ତରରେ କିଛି ଠୋସ୍‌ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଗଣମାଧ୍ୟମ ଆଗରେ ମନ୍ତ୍ରୀମାନେ ଯାହା କହୁଛନ୍ତି ତାହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି  ।
ଏବେ ଯେଉଁ ଦ୍ୱନ୍ଦ୍ୱ ଲୋକଙ୍କ ମନରେ ପ୍ରକାଶ ପାଉଛି, ଆଗାମୀ ଦିନରେ ତାହା ଭିନ୍ନ ମୋଡ଼ ନେବାର ବି ଆଶଙ୍କା ରହିଛି  । ନିର୍ବାଚନ ପ୍ରଚାର ବେଳେ ଆମେ ଆସୁଆସୁ ରତ୍ନଭଣ୍ଡାର ଖୋଲାଯିବ ବୋଲି ବିଜେପି ଘୋଷଣା କରିଥିଲା  । ଶୁଣାଗଲା, ରଥଯାତ୍ରା ବେଳେ ଖୋଲାଯିବ  । ଏନେଇ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ମଧ୍ୟ କହିଥିଲେ  । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯାଉନଥିବାରୁ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ତଥା ପରିଚାଳନା କମିଟି ସଭ୍ୟ ସୁଦର୍ଶନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି  । ତୁରନ୍ତ ରତ୍ନଭଣ୍ଡାର ନେଇ ସରକାର କିଛି ଘୋଷଣା ନକଲେ ତାହା ସାଧାରଣରେ ଭିନ୍ନ ବାର୍ତ୍ତା ଦେବ  ।    
ସେହିପରି ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନା ସମ୍ପର୍କରେ ଘୋଷଣା କରାଗଲା  । ଆଗାମୀ ୧୦୦ ଦିନ ମଧ୍ୟରେ ଏହାର ରୂପରେଖ ପ୍ରସ୍ତୁତ କରି ମାର୍ଗଦର୍ଶିକା ଜାରି କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି  । ଏବେ ଏନେଇ ସରକାରୀସ୍ତରରେ ଅଙ୍କ କଷା ଚାଲିଛି  । ହିତାଧିକାରୀ କିଭଳି ଚୟନ କରାଯିବ ସେନେଇ ମାର୍ଗଦର୍ଶିକା ବି ଜାରି କରାଯିବ  । ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ, ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍‌ କରାଯିବ  । ଏନେଇ ଡ୍ରାଫ୍ଟିଂ ଚାଲିଛି  । ଉପମୁଖ୍ୟମନ୍ତ୍ରୀ କହିବା ପରେ ସାଧାରଣରେ ବାର୍ତ୍ତାଗଲା, ସବୁ ମହିଳା ପାଇବା ନିଶ୍ଚିତ  । ତେବେ ସରକାର କ’ଣ ରାଜ୍ୟର ସବୁ ମହିଳାଙ୍କୁ ସାମିଲ କରିପାରିବେ ? ଏସଏଚଜିରେ ଥିବା ସବୁ ମହିଳା କ’ଣ ଏହାର ଫାଇଦା ନେବେ ? ପରିବାରର ଜଣଙ୍କୁ ମିଳିବ ନା ଏକାଧିକଙ୍କୁ ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟିହୋଇଛି  । ୭୦ ଲକ୍ଷ ଏସଏଚଜି ମହିଳାଙ୍କୁ ଯଦି ଦିଆଯାଏ ତେବେ ଦୁଇବର୍ଷରେ ପ୍ରାୟ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଏଥିପାଇଁ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ବୋଲି କେନ୍ଦ୍ରୀୟ ସହାୟତା ବି ମଗାଯାଇଛି  । ଯଦି କାଲି ସବୁ ମହିଳାଙ୍କୁ ସରକାର ଦେଇନପାରନ୍ତି ତେବେ ଲୋକେ ତାଙ୍କୁ କାଠଗଡ଼ାରେ ଠିଆ କରିଦେବେ  । କଥା ଓ କାମ ଠିକ ନାହିଁ ବୋଲି ବିରୋଧୀଙ୍କୁ ସମାଲୋଚନାର ଖୋରାକ୍‌ ମିଳିବ  ।
ରାଜ୍ୟର ଅବକାରୀ ମନ୍ତ୍ରୀ ହେଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ  । କିନ୍ତୁ ଆଜି ସାମାଜିକ ଓ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେଯେ, ମଦ ବନ୍ଦ ନେଇ ସରକାର ବିଚାର କରୁଛନ୍ତି  । ଯାହାକୁ ନେଇ ଅନେକ ଉତ୍ସାହିତ ହୋଇ ଯାଇଛନ୍ତି  । ସରକାର ବଢ଼ିଆ ପଦକ୍ଷେପ ନେଲେ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ ବି ଛାଇ ହୋଇଗଲାଣି  । ହେଲେ ଅବକାରୀରୁ ବର୍ଷକୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ମିଳୁଛି  । ଯେତେବେଳେ ମଦ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେବେ ସେତେବେଳେ ନିଶ୍ଚିତ ଭାବେ ଉଚ୍ଚସ୍ତରୀୟ ବୈଠକ ବସିବ  । ହାନି ଲାଭ ଅନୁଧ୍ୟାନ କରାଯିବ  । ଏହି ପ୍ରସଙ୍ଗରେ ଆଜି ଅବକାରୀ ମନ୍ତ୍ରୀ କିଛି କହିବାକୁ ଉଚିତ୍‌ ମନେ କରିନାହାନ୍ତି  । କଥାକୁ ବାଅାଁରେଇ ଏଡ଼ାଇବାକୁ ଚେଷ୍ଟା କରିଥିଲେ  । ଅର୍ଥାତ୍‌ ମନ୍ତ୍ରୀ ନିତ୍ୟାନନ୍ଦଙ୍କ କଥାକୁ ସେ ଗ୍ରହଣ କରିପାରୁନାହାନ୍ତି  । ସେହିପରି ମନ୍ତ୍ରୀଙ୍କ ଅଫିସରୁ ଆଜି ଆସିଥିବା ପ୍ରେସ ବିଜ୍ଞପ୍ତିରେ ମଦ ବନ୍ଦ କଥା ଆଉ ଉଲ୍ଲେଖ କରାଯାଇନାହିଁ  ।
ସେହିପରି ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ପ୍ରଥମ ଚାଉଳ ଏଟିଏମ୍‌ ଉଦଘାଟନ ହେବବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ  । କିନ୍ତୁ ୨୦୨୨ ନଭେମ୍ବର ୧୯ରେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ତତ୍କାଳୀନ କେନ୍ଦ୍ର ସଚିବ ସଂଜୀବ ଚୋପ୍ରା କହିଥିଲେଯେ, ଭୁବନେଶ୍ୱର, ଗୁରୁଗାଁ, ଡେରାଡୁନ ଓ ବାରଣାସୀରେ ଫୁଡ଼ ଏଟିଏମ୍‌ କରାଯାଇଛି  । 
ପୁରୁଣା ସରକାରଙ୍କ ମନ୍ତ୍ରୀ ଭଳି ମୋହନ ସରକାରଙ୍କ ମନ୍ତ୍ରୀମାନେ ମାନ୍ଦାଳିଆ ନୁହଁନ୍ତି  । ପୂର୍ବରୁ ମନ୍ତ୍ରୀମାନେ ଧାଡ଼ିଏ କହିବାକୁ ସଚିବଙ୍କ ପରାମର୍ଶ ନେଉଥିଲେ  । କିନ୍ତୁ ଏବେ ମନ୍ତ୍ରୀମାନେ ନିଜେ ଆଗରେ ରହୁଥିବାବେଳେ ସଚିବମାନେ ପଛରେ ରହୁଛନ୍ତି  । ତେବେ ମନ୍ତ୍ରୀଙ୍କ କଥା ହିଁ ସରକାରଙ୍କ କଥା  । ଏହା ବ୍ୟକ୍ତିଗତ ବିବୃତ୍ତି ନୁହେଁ  । ଅନ୍ୟ ବିଭାଗ ଉପରେ ବି ମନ୍ତବ୍ୟ ଦେବା ସାଧାରଣତଃ ଅନୁଚିତ୍‌  । ଏହାଦ୍ୱାରା ଭୁଲ ବାର୍ତ୍ତା ଯିବ ଓ ଅନ୍ୟ ମନ୍ତ୍ରୀଙ୍କ ବିଭାଗରେ ଅନଧିକାର ପ୍ରବେଶ ଭଳି ହେବ  । ଯଦି ମନ୍ତ୍ରୀମାନେ ଏଥିପ୍ରତି ଯତ୍ନବାନ ନହେବେ ତେବେ ବିରୋଧୀ ଏହାକୁ ଆୟୁଧ କରିବା ନିଶ୍ଚିତ  ।