ମଦ ବନ୍ଦ ହେଲେ କମିବ ରାଜସ୍ବ,ଓଡ଼ିଶାରେ ବ୍ୟାନ୍‌ ହେବନି ମଦ

ଭୁବନେଶ୍ୱର,: ଓଡ଼ିଶାରେ ମଦ ବ୍ୟାନ୍‌ ହେବନି । ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାର ମଦ ବନ୍ଦ ହେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ।

ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଢ଼ିବା ପରେ ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ଆଉ ଗୁରୁବାର ଅବକାରୀ ବିଭାଗ ତରଫରୁ ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରାଯାଇଛି। ତେବେ ରାତିରେ ମଦ ବ୍ୟାନ ନେଇ ମନ୍ତ୍ରୀଙ୍କ ବୟାନ ଓ ସକାଳୁ ତାହାକୁ ବିଭାଗ ଦ୍ୱାରା ଖଣ୍ଡନ କରିବା କାହା ମଧ୍ୟରେ ତାଳମେଳ ରହୁନାହିଁ।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି। ହେଲେ ବିଭାଗ ଯଦି ମଦ ବନ୍ଦ କରିବ ତେବେ ରାଜସ୍ବହାନୀର ଆଶଙ୍କା ରହିଛି। କାରଣ ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି।