ଶାରଦା ଛାନିଆ ବଦଳିଯିବ କି ଟିକେଟ୍‌ !

Naveen Pattanaik Dillip Ray Rourkela Politics Odisha Politics

ଶାରଦା ଛାନିଆ ବଦଳିଯିବ କି ଟିକେଟ୍‌ !

ଭୁବନେଶ୍ୱର : ରାଉରକେଲାର ଲୋକପ୍ରିୟ ନେତା ହେଉଛନ୍ତି ଦିଲ୍ଲୀପ ରାୟ  । ଏବେବି ତାଙ୍କର ହଜାର ହଜାର ସମର୍ଥକ ନିର୍ବାଚନ ଲଢ଼ିବା ପାଇଁ ଚାପ ପକାଇ ଆସୁଛନ୍ତି  ।  ସେପଟେ ଏହା ତାଙ୍କର ଶେଷ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀପଙ୍କ ପିଟିସନ ରାଜ୍ୟ ରାଜନୀତିକ ମାହୋଲକୁ ସରଗରମ କରିଦେଇଛି  । ବିଶେଷକରି ରାଉରକେଲା ବିଧାନସଭା ଆସନ ପାଇଁ ବିଜେଡ଼ି ଟିକେଟ ପାଇଥିବା ଶାରଦା ପ୍ରସାଦ ନାୟକଙ୍କ ଶିବିରରେ ଛନକା ପଶିଯାଇଛି  ।


୨୦୧୯ରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଦିଲ୍ଲୀପଙ୍କ ଭଲ ସମ୍ପର୍କ ଗଢ଼ିଉଠିଛି  । ଏପରିକି ବିଜେଡ଼ି ପକ୍ଷରୁ ତାଙ୍କୁ ବାରବାର ଟିକେଟ ବି ଯଚାଯାଇଛି  । ହେଲେ ଦିଲ୍ଲୀପ ରାଜନୀତିକ ଭବିଷ୍ୟତ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅନ୍ଧାରରେ ରଖି ଆସିଛନ୍ତି  । ନିକଟରେ ବିଜେଡ଼ି ପୁରୁଣା ନେତାଙ୍କୁ ଖୋଜିଖୋଜି ଘର ବାହୁଡ଼ା ପ୍ରକ୍ରିୟା ଆରମ୍ଭ କରିଦେଇଛି  । ବିଜୟ ମହାପାତ୍ରଙ୍କ ପୁଅ ଓ ଦିବଂଗତ ନେତା ନଳିନୀ ମହାନ୍ତିଙ୍କ ପୁଅ ମଧ୍ୟ ବିଜେଡ଼ିକୁ ଆସିଥିବାରୁ ଦିଲ୍ଲୀପ ବିଜେଡ଼ିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା  । କିନ୍ତୁ ସେଭଳି କିଛି ଘଟିନଥିଲା  । ତଥାପିବି ରାଉରକେଲାରେ ଦିଲ୍ଲୀପଙ୍କର ବୈଠକ ଅନେକ କିଛି ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା  ।

ଦିଲ୍ଲୀ ହାଇକୋର୍ଟରେ ସେ ବିଧାନସଭା ନିର୍ବାଚନ ଲଢ଼ିବା କଥା ଉଲ୍ଳେଖ କରିଥିବାରୁ ତାଙ୍କର ଦଣ୍ଡାଦେଶ ସ୍ଥଗିତ ରଖାଯାଇଛି  । ଫଳରେ ଦିଲ୍ଲୀପ ନିର୍ବାଚନ ଲଢ଼ିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଯଦି ଦିଲ୍ଲୀପ ବିଧାନସଭା ନିର୍ବାଚନ ଲଢ଼ିବେ ତେବେ ରାଉରକେଲାରୁ ହିଁ ଲଢ଼ିବେ  । ସେ ଆଉ ବିଜେପିକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଥିବାରୁ ବିଜେଡ଼ିରୁ ଲଢ଼ିବା ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ  । ଯଦି ସେଭଳି ହୁଏ ତେବେ ଶାରଦା ପ୍ରସାଦ ନାୟକଙ୍କ ଟିକେଟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି  । ଯାହାକି ଏବେ ଶାରଦାଙ୍କ ଶିବିରରେ ଛନକା ପୂରାଇ ଦେଇଛି  । ଦିଲ୍ଲୀପ କେବେ ଆଗାମୀ ନିର୍ବାଚନ ନେଇ ସ୍ପଷ୍ଟ ସଂକେତ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି  ।