ପୁଲିସ କର୍ମଚାରୀଙ୍କୁ ଛେଚିଲେ ସ୍ଥାନୀୟ ଲୋକେ

ବାରଣାସୀର ଏକ ବଜାରରେ ସ୍ଥାନୀୟ ଲୋକେ ଜଣେ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି। ପୁଲିସ କର୍ମଚାରୀଙ୍କ କାର୍ ଏକ ଅଟୋକୁ ସାମାନ୍ୟ ଧକ୍କା ଦେବା ଫଳରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି।ଏହି ସମୟରେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ କାର୍ ଭିତରେ ଥିଲେ। ସେମାନେ ଭୟଭୀତ ହେଉ ଥିବାବେଳେ ରାସ୍ତା ଉପରେ ପୁଲିସଙ୍କୁ କିଛି ଲୋକେ ମାଡ଼ ମାରିବାର ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ପୁଲିସ ଜଣକ ହେଉଛନ୍ତି ଅଜିତ ବର୍ମା। ସେ ରଜତଲ୍ୟାବର ଷ୍ଟେସନ ହେଡ୍ ଅଫିସର (SHO) ଭାବେ ନିୟୋଜିତ ଅଛନ୍ତି। ଗତକାଲି ସେ ୟୁନିଫର୍ମରେ ନଥିଲେ। ସନ୍ଧ୍ୟାରେ ସ୍ତ୍ରୀ ଓ ପିଲାମାନଙ୍କୁ ନେଇ କାରରେ କେଉଁ ଆଡ଼େ ଯିବା ସମୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।

ବାରଣାସୀର ଏକ ବଜାର ନିକଟରେ ତାଙ୍କ କାର୍ ଅଟୋକୁ ସାମାନ୍ୟ ଧକ୍କା ଦେଇଥିଲା। ଏହି ସମୟରେ ଅଜିତ ବର୍ମା ନିଜେ ଡ୍ରାଇଭିଂ କରୁଥିଲେ। ଫଳରେ ସେଠାରେ ଥିବା କିଛି ଲୋକ ତାଙ୍କୁ କାରରୁ ଘୋଷାଡ଼ି ଆଣି ମାର୍ ପିଟ୍ କରିଥିଲେ। ଅଜିତ ବର୍ମା ମଧ୍ୟ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର କେହି ଶୁଣିନଥିଲେ। ପରେ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।