ପ୍ରତାପ ଜେନାଙ୍କର ପୁଷମାସ, କାହିଁକି ଜାଣନ୍ତୁ
PRATAP JENA

କଟକ/ମାହାଙ୍ଗା : ମାହାଙ୍ଗା ଡବଲ ମଡର଼୍ର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି ମିଳିଛି । ସାଲେପୁର ଜେଏମ୍ଏଫସି କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ସୂଚନାଯୋଗ୍ୟଯେ, ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ(୭୫) ଏବଂ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ଗତ ୨୦୨୧ ଜାନୁଆରୀ ୨ ସଂଧ୍ୟାରେ ମାହାଙ୍ଗା ବ୍ଲକ୍ ଯଁକୋଟିି ନିକଟରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୁକ୍ତ ତାଲିକାରେ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ ।
ମାମଲାର ତଦନ୍ତ ଚାଲୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଟାଙ୍ଗୀ ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରୁ ଅତ୍ୟନ୍ତ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ମାହାଙ୍ଗା ପୁଲିସ ସାଲେପୁର ଜେଏମଏଫସି କୋର୍ଟରେ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା । ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା । ଚାର୍ଜସିଟରୁ ଶ୍ରୀ ଜେନାଙ୍କ ନାଁ କଟିବା ଉପରେ ଆପତ୍ତି ଉଠାଇ ଏତଲାକାରୀ ରମାକାନ୍ତ ବରାଳ କୋର୍ଟରେ ଆବେଦନ କରିଥିଲେ । ରମାକାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ରଞ୍ଜିତ୍ କୁମାର ବରାଳ ଏହା ଉପରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ ।
ସାଲେପୁର ଜେଏମଏଫସି କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚଳାଇବାକୁ ଗତବର୍ଷ ସେପ୍ଟେମ୍ବର ମାସରେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ରଗୁଡିକୁ ଦେଖିଲେ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି ବୋଲି କୋର୍ଟ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ତାଙ୍କ ନାଁ ମାମଲାରେ ଯୋଡିଥିଲା । ତେବେ ତଳକୋର୍ଟରେ ତାଙ୍କ ନାଁ ଯୋଡାଯିବା ପରେ ତାହାକୁ ଚାଲେଂଜ କରି ଶ୍ରୀ ଜେନା ହାଇକୋର୍ଟ ଯାଇଥିଲେ । ଅପରପକ୍ଷରେ ଏହି କାରଣରୁ ଗତ ଚବିଶ ନିର୍ବାଚନରେ ପ୍ରତାପଙ୍କୁ ବିଜେଡ଼ି ଟିକେଟ ଦେଇନଥିଲା । ପ୍ରତାପଙ୍କ ବଦଳରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ବିଜେପିର ଟାଣୁଆ ନେତା ଶାରଦା ପ୍ରଧାନ ତାଙ୍କୁ ପରାସ୍ତ କରିଥିଲେ ।