ଆଜି ପୁଣି ଏକ ଲଘୁଚାପ
ଭୁବନେଶ୍ୱର: କେନ୍ଦ୍ରୀୟ ମିଆଁମାର ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳ ଅଞ୍ଚଳ ଏବଂ ତତସଂଲଗ୍ନ ବଙ୍ଗୋପସାଗର ଉପରେ ଟ୍ରପୋସ୍ଫେରିକ ସ୍ତର ପର୍ୟ୍ୟନ୍ତ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି । ଏହା ଧିରେଧିରେ ପଶ୍ଚିମ ଆଡ଼କୁ ଗତି କରି ଆସନ୍ତାକାଲି ଉତ୍ତର ଓ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୬ରେ ଏହା ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଏକ ଅବପାତରେ ପରିଣତ ହେବ । ସେପ୍ଟେମ୍ବର ୨୭ରେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି । ପାଣିପାଗ ବିଭାଗର
ସୂଚନା ଅନୁଯାୟୀ, ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଅପରପକ୍ଷରେ କୋରାପୁଟ, ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ କିମି ବେଗରେ ଝଟକାପବନ ସହ ବଜ୍ରପାତର ସମ୍ଭାବନା ଅଛି । ଯେତେବେଳେକି ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ସହ ବଜ୍ରପାତ ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।