ଅଦିନିଆ ବର୍ଷା ରାଜ୍ୟ ବିପର୍ଯ୍ୟୟ
ଭୁବନେଶ୍ୱର : ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଚାଷୀମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ । ଏସଡ଼ିଆରଏଫର ବାର୍ଷିକ ଆବଣ୍ଟନର ସର୍ବାଧିକ ୧୦ ପ୍ରତିଶତ ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ । ସୂଚନାଯୋଗ୍ୟଯେ, ୨୦୨୪ ଡିସେମ୍ୱରରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୨, ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ଏବଂ ପ୍ରାୟ ୬.୬୬ ଲକ୍ଷ ଚାଷୀ ପ୍ରଭାବିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କୁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍ପୁଟ ରିହାତି ଆକାରରେ ପ୍ରଦାନ କରିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଦିନିଆ ବର୍ଷା ସ୍ଥାୟୀ ଭାବେ ଏକ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ ହେଲା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥିପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୮ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି । ଏ ଗୁଡ଼ିକ ହେଲା ବଜ୍ରପାତ, ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିଝଡ, ଟର୍ନାଡୋ, ପ୍ରବଳ ବର୍ଷା ଏବଂ ବନ୍ୟାନଥିବା ସମୟରେ ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମୃତ୍ୟୁ ହେବା ଓ ସର୍ପାଘାତ । ଅଦିନିଆ ବର୍ଷା ବିପର୍ଯ୍ୟୟ ଘୋଷିତ ହେବା ପରେ ବର୍ତ୍ତମାନ ସମୁଦାୟ ୯ଟି ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ ହେଲା । ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୧୨ଟି ବିପର୍ଯ୍ୟୟ ଘୋଷଣା କରିଛନ୍ତି ।