ସରିଲା ମୌସୁମୀ ଅଧିବେଶନ
ଭୁବନେଶ୍ୱର: ୧୮ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ । ୨୫ରେ ସରିଥା’ନ୍ତା । ହେଲେ ପୂଜା ପାଇଁ ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ସରିଗଲା । ସଂକ୍ଷିପ୍ତ ଅଧିବେଶନ ଥିଲେବି ଅଧାରୁ ଅଧିକ ସମୟ ହଟ୍ଟଗୋଳ ପାଇଁ ବରବାଦ୍ ହୋଇଗଲା ।
ସେପଟେ ୧୭ ବର୍ଷ ପରେ ଗୃହରେ ଅନାସ୍ଥା ନୋଟିସ୍ ଆଣି କଂଗ୍ରେସ ମାଇଲେଜ୍ ନେବାକୁ ଉଦ୍ୟମ କରିଥିଲା । ତେବେ ଅକଳରେ ପଡ଼ିବା ଡରରେ ବିଜେଡ଼ି କିନ୍ତୁ କଂଗ୍ରେସର ବାଟ ଓଗାଳିଲା । ସରକାରଙ୍କୁ ବି ଏହା ବେଶ୍ ସୁହାଇଥିଲା । ସେପଟେ ଗତଥର ବିଧାନସଭାରେ ତୁମୁଳ ହଙ୍ଗାମା ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥର ଆଉ କେହି ପୋଡ଼ିୟମ ଉପରକୁ ଚଢ଼ିଲେନି । ଖାଲି ସେତିକିନୁହେଁ ଗୃହର ମଧ୍ୟଭାଗରେ କେବଳ ନାରାବାଜିରେ ହିଁ ହଙ୍ଗାମା ସୀମିତ ଥିଲା । ପୂର୍ବଭଳି ମାଇକ ଟଣା, ସଚିବଙ୍କ ଚଉକି ଉପରେ ଚଢ଼ି ପୋଡ଼ିୟମ ପିଟିବା, ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ନାରାବାଜି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିନଥିଲା ।
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ଶୋକାଞ୍ଜଳୀ ପରେ ଗୃହ ମୁଲତବୀ ରହିଥିଲା । ସେହିଦିନ କଂଗ୍ରେସ ଅନାସ୍ଥା ନୋଟିସ୍ ଦେଇଥିଲା । ତା’ ପରଦିନ ଅର୍ଥାତ୍ ୧୯ରେ କଂଗ୍ରେସ ଭାବିଥିଲା ବାଚସ୍ପତି ଅନାସ୍ଥା ନୋଟିସ୍ ଆଗତ ପାଇଁ ସୁଯୋଗ ଦେବେ । ତେବେ ସାର ପ୍ରସଙ୍ଗରେ ବିଜୁ ଜନତା ଦଳ ହଙ୍ଗାମା କରିଥିଲା । ଦୁଇଦିନ ଧରି ବିଜେଡ଼ି ହଙ୍ଗାମା କରିବାରୁଅନାସ୍ଥା ନୋଟିସ୍ ଆଗତ ହୋଇପାରିନଥିଲା । ଏହା ପରେ ବିଜେଡ଼ି ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ସଂକୋଚନକୁ ନେଇ ହାଲାବୋଲ୍ କରିଥିଲା । ବାରବାର ଗୃହ ଅଚଳ ହେବାରୁ କଂଗ୍ରେସର ଅନାସ୍ଥା ନୋଟିସ ଲାପ୍ସ କରିଗଲା ବୋଲି ବାଚସ୍ପତି କହିଥିଲେ । ପରେ କଂଗ୍ରେସ ଆଉ ଏକ ଅନାସ୍ଥା ନୋଟିସ୍ ଦେଇଥିଲେବି ତାହା ଅଗ୍ରାହ୍ୟ ହୋଇଯାଇଥିଲା । ଗାଏମୋଟ କହିଲେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଓ ଜିଏସଟି ସଂଶୋଧନ ବିଲ୍ ଉପରେ ହିଁ ଦୀର୍ଘ ସମୟ ଆଲୋଚନା କରିଥିଲେ । ଶେଷଦିନରେ ଗୋଟିଏ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟଯେ, ଚଳିତ ଅଧିବେଶନରେ ୬ ଦିନ ଗୃହ ଚାଲିଛି । ସେଥିମଧ୍ୟରୁ ସରକାରୀ ଦିବସ ୫ ଦିନ ଥିବାବେଳେ ଗୋଟିଏ ବେସରକାରୀ ଦିବସ ରହିଥିଲା । ୮ ଦିବଂଗତ ବିଧାୟକ ଓ ୨ ଜଣ ସହିଦଙ୍କ ଉଦେ୍ଦଶ୍ୟରେ ଗୃହରେ ଶୋକପ୍ରସ୍ତାବ ଆଗତ ହୋଇଥିଲା ।