କଂଗ୍ରେସକୁ ଲେଉଟିଲା ‘କନ୍ଦଳ’ ଭାଇରସ୍
ଭୁବନେଶ୍ୱର : ଅଢ଼େଇ ବର୍ଷ ପରେ କରୋନା ଲେଉଟିବା ଭଳି ବର୍ଷକ ପରେ କଂଗ୍ରେସରେ ‘କନ୍ଦଳ’ ଭାଇରସ୍ ଲେଉଟିଛି । ଭକ୍ତ ଦାସ ପିସିସି ମଙ୍ଗ ଧରିବା ପରେ ପ୍ରଥମ ଥର ପାଇଁ କଂଗ୍ରେସରେ ବିଦ୍ରୋହର ପଦଧ୍ୱନି ଶୁଣିବାକୁ ମିଳୁଛି । ଗୋଟିଏ ପଟେ ବିଜେଡ଼ି ଓ ବିଜେପିର ନିଷ୍କ୍ରିୟତାର ଫାଇଦା ନେବାକୁ କଂଗ୍ରେସ ରଣନୀତି କରିଥିବାବେଳେ ଗୋଷ୍ଠୀକନ୍ଦଳ ଲାଗି ରହିଲେ, ଏହି ରଣନୀତି ବିଫଳ ହେବା ନିଶ୍ଚିତ ।
ସମ୍ପ୍ରତି କଂଗ୍ରେସ ପାଇଁ ଏକ ସକରାତ୍ମକ ବାତାବରଣ ସୃଷ୍ଟିହୋଇଛି । କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦି ସରକାର ଥିବାବେଳେ କଂଗ୍ରେସ ଏବେ ସାରା ଦେଶରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ଆଗାମୀ ଦିନରେ କେନ୍ଦ୍ର ବିଜେପି ବିରୋଧରେ ସରକାର ବିରୋଧୀ ହାୱା ସୃଷ୍ଟି ହେବା ସ୍ୱାଭାବିକ । ଭୋଟ୍ ରାଜନୀତିରେ ଏହା ଏକ ସାଧାରଣ କଥା । ଓଡ଼ିଶାରେ ବି କଂଗ୍ରେସ ପାଇଁ ଆହୁରି ଅନୁକୂଳ ପରିବେଶ ସୃଷ୍ଟିହୋଇଛି । ୧୯୯୫ରେ ଯେଭଳି କଂଗ୍ରେସ ଅପ୍ରତ୍ୟାଶିତ ଭାବେ ବିଜୁଙ୍କ ଜନତା ଦଳକୁ ହରାଇଥିଲା ଏଥର ବି ବିଜେପି ଅପ୍ରତ୍ୟାଶିତ ଭାବେ ବିଜେଡ଼ିକୁ ପରାସ୍ତ କରିଛି । କିନ୍ତୁ ଏହି ବିଜୟ କେବଳ ବିଜେପିର ସାଂଗଠନିକ ଅଭିବୃଦ୍ଧି ପାଇଁ ହୋଇନାହିଁ । ବିଜେଡ଼ିରେ ଚାଲିଥିବା ଗୋଷ୍ଠୀକନ୍ଦଳ ପଦାକୁ ନଦିଶୁଥିଲେବି ଚବିଶ ନିର୍ବାଚନରେ ତାହାର ପ୍ରତିଫଳନ ଘଟିଥିଲା । ଗାଏମୋଟ୍ କହିଲେ ନବୀନ ବାବୁ ଜନ ଆକ୍ରୋଶ ଓ ଦଳୀୟ ନେତାଙ୍କ ଆକ୍ରୋଶର ଶିକାର ହୋଇ କ୍ଷମତାଚୁ୍ୟତ ହୋଇଛନ୍ତି । ଏବେବି ବିଜେଡ଼ି ସଳଖ ହୋଇ ଠିଆ ହୋଇପାରିନି । ପୂର୍ବଭଳି ଦଳରେ କେଁ କଟର ଲାଗି ରହିଛି । ତେଣୁ କଂଗ୍ରେସ ଏକ ବିକଳ୍ପ ଭାବେ ଉଭା ହୋଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଭକ୍ତ ଦାସ କଂଗ୍ରେସର ମଙ୍ଗ ଧରିବା ପରେ ଦଳୀୟ ରାଜନୀତିରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ସବୁ ବରିଷ୍ଠ ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ବାହାରକୁ କଂଗ୍ରେସ ପ୍ରତି ଏକ ଭଲ ଧାରଣା ଯାଇଥିଲା । ୨୦୦୦ ମସିହାରୁ ଗାଦିଚୁ୍ୟତ କଂଗ୍ରେସ ଏବେ ଏକାଠି ହେବାକୁ ବାଧ୍ୟ ହୋଇଛି ବୋଲି ମନେ ହେଉଥିଲା । ଅପରପକ୍ଷରେ କଂଗ୍ରେସର ଏଭଳି ସ୍ଥିତି ଦେଖି ଅନେକ ପୁରୁଖା କଂଗ୍ରେସ ନେତା ପୁଣି ଦଳରେ ସକ୍ରିୟ ହେବାକୁ ମନସ୍ଥ କରିଥିଲେ । ଖାଲି ସେତିକିନୁହେଁ ଚିରଞ୍ଜୀବ ବିଶ୍ୱାଳ, ଭୂପିନ୍ଦର ସିଂ, ପ୍ରଦୀପ ମାଝୀଙ୍କ ଭଳି ନେତାମାନେ ପୁଣି କଂଗ୍ରେସକୁ ଫେରିଯିବେ ବୋଲି ଚର୍ଚ୍ଚା ବି ହେଉଛି । କିନ୍ତୁ ଏବେ କନ୍ଦଳ ଭାଇରାସ୍ ହଠାତ୍ କଂଗ୍ରେସିଆଙ୍କ ଜୁଆରିଆ ମନରେ ଭଟ୍ଟା ଖେଳାଇ ଦେଇଛି ।
ଭକ୍ତ ଦାସ ପିସିସି କମିଟି ଗଢ଼ିବା ପରେ ବିଦ୍ରୋହର ସ୍ୱର ଉଠିବାରେ ଲାଗିଛି । ଅନେକ ବରିଷ୍ଠ ନେତା ବା ସେମାନଙ୍କ ଅନୁଗତମାନଙ୍କୁ କମିଟିରେ ସ୍ଥାନ ମିଳିନାହିଁ । ଏଥିପାଇଁ ଭକ୍ତଙ୍କ ରଣନୀତିକୁ ହିଁ ଦାୟୀ କରାଯାଇପାରେ । ଅତୀତରେ କଂଗ୍ରେସ ସଭାପତିମାନେ ବଡ଼ ବଡ଼ କମିଟି ଗଠନ କରୁଥିଲେ । ତାହାର କାରଣ ଥିଲା ସମସ୍ତଙ୍କୁ ଖୁସି କରିବା । ବିଜୁ ଜନତା ଦଳ ମଧ୍ୟ ନିକଟରେ ବିଶାଳ ଟିମ୍ ଗଢ଼ିଛି । ୭୧ ଜଣିଆ ପଦାଧିକାରୀ ତାଲିକା ସହ ଆହୁରି କୋଡ଼ିଏ ପଚିଶ ଜଣିଆ ଟିମ୍ ରହିଛି । କିନ୍ତୁ ଭକ୍ତଙ୍କ ଟିମ୍ ବହୁତ ଛୋଟ । ମାତ୍ର ୩୦ ଜଣିଆ କମିଟି ଗଢ଼ା ହୋଇଛି । ଯେଉଁଥିରେ ୭ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ଅଛନ୍ତି । ଏହି ଟିମ୍ ଛୋଟ ହୋଇଥିବାରୁ ଅନେକ ଏଥିରେ ସ୍ଥାନ ପାଇବାରୁ ବଞ୍ଚôତ ହୋଇଛନ୍ତି । ତେଣୁ ଭକ୍ତ ବିଶାଳ ଟିମ୍ ନଗଢ଼ିବା ପର୍ଯ୍ୟନ୍ତ ଦଳରେ ଅସନ୍ତୋଷ ଦାନା ବାନ୍ଧିବା ସ୍ୱାଭାବିକ ।