ନାବାଳିକାଙ୍କୁ ଦୁଷ୍କର୍ମ କରି ନାବାଳିକାଙ୍କୁ ଛୁରା ମାଡ଼
 
                                ରାତିର ଅନ୍ଧକାରରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଯୁବକ। ମାତ୍ର ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ । ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତାଜଣକ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାଯାଇଛି। ପୀଡ଼ିତା ଗତକାଲି ସ୍କୁଲରୁ ଫେରିବା ପରେ ରାତିରେ ନିଜ ବାଡ଼ି ପଟ ପଡିଆକୁ ଯାଇଥିଲେ। ସେଠରୁ ଫେରିଵା ବେଳେ ସେହି ଗ୍ରାମର ଯୁବକ ଲୁକୁ ଖରା ତାଙ୍କୁ ଅଟକାଇଥିଲେ। ଏକୁଟିଆ ପାଇ ସେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନାବାଳିକାଜଣକ ଏହାର ପ୍ରତିବାଦ କରି ଚିତ୍କାର କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ଏକ ଧାରୁଆ ଛୁରୀରେ ନାବାଳିକାଙ୍କ ଶରୀରକୁ ଚୋଟ ପରେ ଚୋଟ ପକାଇ ଚାଲିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ନାବାଳିକାଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏନେଇ ନନ୍ଦପୁର ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
